ନୂଆଦିଲ୍ଲୀ: ଅଭିଭାବକଙ୍କୁ ନେଇ ଅଶ୍ଳୀଳ ଟିପ୍ପଣୀ କରି ଅଡୁଆରେ ଥିବା ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ସଂପ୍ରତି ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । କିନ୍ତୁ ଅଦାଲତ ଆପତ୍ତିଜନକ ଭାଷା ପ୍ରୟୋଗକୁ ନେଇ ୟୁଟ୍ୟୁବରଙ୍କୁ କଡା ଶବ୍ଦରେ ଭର୍ତ୍ସନା କରିଛନ୍ତି । କୋର୍ଟ କହିଛନ୍ତି, ତାଙ୍କ ମସ୍ତିଷ୍କରେ ଅଶ୍ଳୀଳତା ଭରି ରହିଛି । ଲୋକପ୍ରିୟତା ହାସଲ କରିବାର ଅର୍ଥ ନୁହେଁ ଯେ, କିଛି ବି କହି ଦେବ । ଆହ୍ଲାବାଦିଆ ତାଙ୍କ ବିରୋଧରେ ରୁଜୁ ସମସ୍ତ ଏଫଆଇଆର ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଯାଚିକା ଉପରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଏନ କୋଟେଶ୍ୱର ସିଂଙ୍କ ପୀଠ ଶୁଣାଣି କରିଛନ୍ତି । ଜଷ୍ଟିସ କାନ୍ତ ପଚାରିଛନ୍ତି ଯେ, କଣ ଆପଣ ବ୍ୟବହାର କରାଯାଇଥିବା ଭାଷାର ସମର୍ଥନ କରୁଛନ୍ତି । ଏହା ଉପରେ ଆହ୍ଲାବାଦିଆଙ୍କ ପକ୍ଷରୁ କୋର୍ଟରେ ହାଜର ଓକିଲ ଡ. ଅଭିନବ ଚନ୍ଦ୍ରଚୂଡ କହିଛନ୍ତି, ବ୍ୟବହାର ହୋଇଥିବା ଭାଷାକୁ ମୁଁ ବହୁତ ଘୃଣା କରୁଛି । ପୁଣି ଅଦାଲତ ପ୍ରଶ୍ନ କରିଛନ୍ତି ଯେ, ଯାଚିକାକର୍ତ୍ତାଙ୍କ ହିସାବରେ ଅଶ୍ଳୀଳତା ଓ ବ୍ୟଙ୍ଗତା କଣ ।
ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ଏମିତି ଶବ୍ଦ ବ୍ୟବହାରକୁ ନିନ୍ଦା କରାଯିବା ଉଚିତ୍ । ଆପଣ ଲୋକପ୍ରିୟ ହୋଇଗଲେ ବୋଲି କଣ ଯାହା ଇଚ୍ଛା ତାହା କହିବେ । ଆପଣ ସମାଜକୁ ଏମିତି ହାଲୁକା ଭାବେ ନେଇ ପାରିବେ ନାହିଁ । ଆମ ଦୁନିଆରେ କଣ ଏମିତି କିଏ ଭାଷାର ପ୍ରୟୋଗ କରେ । ଏଥିରୁ ଜଣା ପଡୁଛି ଆହ୍ଲାବାଦିଆଙ୍କ ମସ୍ତିଷ୍କରେ ଅଶ୍ଳୀଳତା ଭରି ରହିଛି, ଯାହା ସଭିଙ୍କ ସାମ୍ନାକୁ ଆସି ଯାଇଛି । ଆମେ କାହିଁକି ତାଙ୍କର ରକ୍ଷା କରିବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି, ମୁମ୍ବାଇ ଓ ଗୌହାଟୀରେ ରୁଜୁ ଏଫଆଇଆର ଆଧାରରେ ଗିରଫଦାରୀ ଉପରେ ରୋକ୍ ଲଗାଯାଉଛି । ସର୍ତ୍ତ ଏହା ଯେ, ରଣବୀର ଆହ୍ଲାବାଦିଆଙ୍କୁ ଯେବେ ବି ଯେଉଁ ସମୟରେ ଡକାଯିବ ସେ ତଦନ୍ତରେ ସହଯୋଗ କରିବେ । ଏହି ସର୍ତ୍ତରେ ଅନ୍ତରୀଣ ଆଶ୍ୱସ୍ତି ଦିଆଯାଉଛି ଯେ, ପୋଲିସ ଷ୍ଟେସନରେ ବିନା କୌଣସି ଓକିଲଙ୍କ ଉପସ୍ଥିତିରେ ତଦନ୍ତରେ ଆହ୍ଲାବାଦିଆ ପୁରା ସହଯୋଗ କରିବେ ।
କୋର୍ଟ କହିଛନ୍ତି, ଇଣ୍ଡିଆଜ ଗଟ୍ ଲାଟେଣ୍ଟ ଶୋ ଆଧାରରେ ଏଫଆଇଆର ରୁଜୁ କରାଯିବ ନାହିଁ । ଆବେଦନକାରୀଙ୍କୁ ନିଜ ଜୀବନର ସୁରକ୍ଷା ପାଇଁ ସ୍ଥାନୀୟ ପୋଲିସଠୁ ଆବଶ୍ୟକ ପଡିଲେ ସୁରକ୍ଷା ଯୋଗାଇ ଦିଆଯାଇ ପାରିବ । ଯଦି ଜୟପୁରରେ କୌଣସି ଏଫଆଇଆର ରୁଜୁ ହୋଇଛି, ସେଠାରେ ବି ଗିରଫଦାରୀ ଉପରେ ରୋକ୍ ଲାଗୁ ରହିବ । ସୁପ୍ରିମକୋର୍ଟ ଆହ୍ଲାବାଦିଆଙ୍କୁ ଠାଣେ ପୋଲିସରେ ପାସପୋର୍ଟ ଜମା କରିବାକୁ ଆଦେଶ ଦେଇଛନ୍ତି ଏବଂ ବିନା ଅନୁମତିରେ ଦେଶ ବାହାରକୁ ଯିବା ଉପରେ ରୋକ ଲଗାଇଛନ୍ତି ।