ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ପୁଣି ଥରେ ଆରମ୍ଭ ହୋଇଥିଲେ ହେଁ ବର୍ଷା ସବୁ ବିଗାଡି ଦେଇଛି । ମେ ୧୭ ତାରିଖ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟଚ୍ ଖେଳା ଯିବାର ଥିଲା । ଏହି ମ୍ୟାଚ୍ କେକେଆର ପାଇଁ ବଡ ଗୁରୁତ୍ୱପୂ୍ର୍ଣ ଥିଲା । କିନ୍ତୁ ବର୍ଷା ସବୁ କିଛି ବିଗାଡି ଦେଇଛି । ବର୍ଷା ଯୋଗୁଁ ଆରସିବି ବନାମ କେକେଆର ମ୍ୟାଚ୍ ବାତିଲ ହୋଇଛି । ଦୁଇ ଦଳକିୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିଲେ ହେଁ କେକେଆର ପାଇଁ ମ୍ୟାଚ୍ ବାତିଲ ହେବା କାଳ ସାଜିଛି । ଦଳ ଗୋଟିଏ ପଏ ଣ୍ଟ ପାଇଥିଲେ ହେଁ ଚଳିତ ସିଜିନର ପ୍ଲେ ଅଫ ଦୌଡରୁ ବାଦ୍ ପଡିଛି ।
ବେଙ୍ଗାଲୁରୁରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଜି ଆରସିବି ଓ କେକେଆର ମଧ୍ୟରେ ମ୍ୟାଚ୍ ଖେଳା ଯିବାର ଥିଲା । ଆରସିବି ଅପେକ୍ଷା ଏହି ମ୍ୟାଚ୍ କେକେକଆର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ମ୍ୟାଚ୍ ଜିତିଥିଲେ କେକେଆରର ପ୍ଲେ ଅଫ ଦୌଡ ଆଶା ଉଜ୍ଜୀବିତ ରହିଥାନ୍ତା । କିନ୍ତୁ ଗତ ସପ୍ତାହେ ଧରି ବେଙ୍ଗାଲୁରୁରେ ଲାଗି ରହିଥିବା ବର୍ଷାର ପ୍ରାଦୁର୍ଭାବ ଆଜିର ମ୍ୟାଚ୍ ସମୟରେ ବି ଦେଖିବାକୁ ମିଳିଛି । ନିରନ୍ତର ବର୍ଷା ହେବାରୁ ଟସ୍ ବି ପଡି ପାରି ନ ଥିଲା । ଶେଷରେ ସମୟ ପ୍ରାୟ ୧୦ଟା ୪୦ ବେଳକୁ ଫିଲ୍ଡ ଅମ୍ପାୟର ମ୍ୟାଚ୍ ବାତିଲ ଘୋଷଣା କରିଥିଲେ । ନିୟମ ଅନୁସାରେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିଲା ।
କେକେଆର ଗୋଟିଏ ପଏଣ୍ଟ ପାଇଥିଲେ ହେଁ ଏହା ଦଳକୁ ପ୍ଲେ ଅଫରୁ ବାଦ୍ ପଡିବାରୁ ବଞ୍ଚାଇ ପାରି ନ ଥିଲା । କେକେଆର ୧୩ଟି ମ୍ୟାଚ୍ ଖେଳି ୫ ବିଜୟ ଓ ୬ ପରାଜୟ ସହ ୨ଟି ମ୍ୟାଚ୍ ବର୍ଷାରେ ଧୋଇ ହୋଇଯିବା ପରେ ୧୨ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି । ଶେଷ ଜିତିଲେ ବି ଦଳର ପଏଣ୍ଟ ୧୪ରେ ପହଞ୍ଚିବ । ଏହି ପଏଣ୍ଟ ଅନେକ ଦଳ ପାଇ ସାରିଛନ୍ତି । ମ୍ୟାଚ୍ ରଦ୍ଦ ହେବା ଡିଫେଣ୍ଡିଂ ଚାମ୍ପିଅନ କେକେଆରକୁ ଟୁର୍ଣ୍ଣାମେଣ୍ଟରୁ ବିଦା କରାଇଛି। ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ଵାଧୀନ କେକେଆର ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି।
ଏଥିସହ ଚତୁର୍ଥ ଦଳ ଭାବେ କେକେଆର ଚଳିତ ସିଜିନରୁ ବାଦ୍ ପଡ଼ିଛି। ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ, ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବାଦ ପଡ଼ି ସାରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫର ବହୁତ ନିକଟତର ହୋଇଛି। ମ୍ୟାଚ୍ ବାତିଲ ହେବାରୁ ଦଳକୁ ଗୋଟିଏ ପଏଣ୍ଟ ମିଳିଛି। ଦଳ ଏପର୍ୟ୍ୟନ୍ତ ୧୨ଟି ମ୍ୟାଚରୁ ୮ ଟିରେ ବିଜୟୀ ସହ ୧୭ ପଏଣ୍ଟ ଟେବୁଲରେ ଶୀର୍ଷକୁ ଉଠିଛି। ଆରସିବିର ଏବେ ବି ୨ଟି ମ୍ୟାଚ୍ ବାକି ଅଛି।
ଚାରୋଟି ଦଳ ବାଦ୍ ପଡ଼ିବା ପରେ ଏବେ ପ୍ଲେ ଅଫ୍ ଦୌଡ଼ରେ ଗୁଜରାଟ ଟାଇଟନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ପଞ୍ଜାବ କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ରହିଛନ୍ତି। ଏହି ଦଳ ମଧ୍ୟରେ ଆଗକୁ କଡ଼ା ଟକ୍କର ହେବାକୁ ଯାଉଛି। ଫଳରେ ଚଳିତ ସିଜିନରେ ଆଗାମୀ ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହେବାକୁ ଯାଉଛି । ବଡ କଥା ଏ ପର୍ଯ୍ୟନ୍ତ ଗୋଟିଏ ବି ଦଳ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରି ପାରି ନାହାନ୍ତି ।