ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ନିଜର ଲୋକସଭା ନିର୍ବାଚନମଣ୍ଡଳୀ ଗାନ୍ଧୀନଗରରେ ଅନେକ ପ୍ରକଳ୍ପର ଶିଳାନ୍ୟାସ୍ ଓ ଉଦଘାଟନ କରିଛନ୍ତି। ଏହି ସମୟରେ ସେ ଜନତାଙ୍କୁ ସମ୍ବୋଧିତ କରି ପାକିସ୍ତାନରେ ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତୀୟ ସେନାର ପ୍ରଶଂସା କରିଥିଲେ। ସେ କହିଛନ୍ତି ଦେଶ ସ୍ଵାଧୀନତାର ପ୍ରଥମ ଥର ଭାରତୀୟ ସେନା ପାକିସ୍ତାନର ୧୦୦ କିମି ଭିତରକୁ ପଶି ଆତଙ୍କୀ କେନ୍ଦ୍ରକୁ ଧ୍ଵଂସ କରିଛନ୍ତି।
ଅମିତ ଶାହ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବିକଶିତ କରିବାରେ କୌଣସି ସୁଯୋଗର ହାତଛଡ଼ା କରୁ ନାହାନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀଦେଶକୁ ସୁରକ୍ଷିତ କରିବା ପାଇଁ ମଧ୍ୟ ଅବିରତ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତା ଗ୍ରହଣ କରିବା ପରଠାରୁ ତିନୋଟି ବଡ଼ ଆକ୍ରମଣ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର ଉଚିତ ଜବାବ ଦେଇଛନ୍ତି।
ସେ କହିଛନ୍ତି, "ଉରି ଆକ୍ରମଣର ଜବାବ ସର୍ଜିକାଲ୍ ଷ୍ଟ୍ରାଇକ୍ ସହିତ ଦିଆଯାଇଥିଲା। ପୁଲୱାମା ଆକ୍ରମଣର ଜବାବ ଏୟାର ଷ୍ଟ୍ରାଇକ୍ ସହିତ ଦିଆଯାଇଥିଲା ଏବଂ ପହଲଗାମ୍ ଆକ୍ରମଣର ଜବାବ ଅପରେସନ୍ ସିନ୍ଦୂର ଜରିଆରେ ପାକିସ୍ତାନକୁ ଦିଆଯାଇଛି। ଅପରେସନ ସିନ୍ଦୂରରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଛି।
ଅପରେସନ ସିନ୍ଦୂର ସମ୍ପର୍କରେ ଅମିତ ଶାହ କହିଛନ୍ତି, "ଭାରତୀୟ ସଶସ୍ତ୍ର ବାହିନୀ ସାହସର ଅଦ୍ୟମ ନିଦର୍ଶନ ପ୍ରଦର୍ଶନ କରି ଅପରେସନ ସିନ୍ଦୂରରେ ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଇବା ଭଳି ଆତଙ୍କବାଦୀ ସଂଗଠନର ମୁଖ୍ୟାଳୟକୁ ଧ୍ୱଂସ କରିଛନ୍ତି। ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଥିବା ୯ଟି ଆଡ୍ଡାକୁ ଧ୍ୱଂସ କରାଯାଇ ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନିଆଯାଇଛି।
ଶାହ କହିଛନ୍ତି, "ସ୍ୱାଧୀନତା ପରେ ପ୍ରଥମ ଥର ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଭିତରେ ୧୦୦ କିଲୋମିଟର ପ୍ରବେଶ କରି ପ୍ରତିଶୋଧ ନେଇଛନ୍ତି। ଆମର ଅପରେସନ ଆତଙ୍କବାଦୀମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଯଦି କୌଣସି ଆତଙ୍କବାଦୀ ଘଟଣା ଘଟେ, ତେବେ ତାହାର ଦୁଇଗୁଣ ଅଧିକ ଜବାବ ଦିଆଯିବ।
ଅମିତ ଶାହ କହିଛନ୍ତି, "ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ଭୟଭୀତ। ପାକିସ୍ତାନର ଗୋଟିଏ ବି କ୍ଷେପଣାସ୍ତ୍ର କି ଡ୍ରୋନ ଭାରତୀୟ ମାଟିରେ ପଡ଼ିପାରିଲା ନାହିଁ। ଆମେ ପାକିସ୍ତାନର ସମସ୍ତ ଆକ୍ରମଣକୁ ବିଫଳ କରିଦେଇଛୁ। ଏହା ବ୍ୟତୀତ ପାକିସ୍ତାନରେ ବସିଥିବା ୧୦୦ରୁ ଅଧିକ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ନିପାତ କରିଛୁ। ଆମେ ନୁର ଖାନ ଏୟାରବେସ୍ ଏବଂ ସରଗୋଧା ଏୟାରବେସ୍ ସମେତ ପାକିସ୍ତାନର ୧୧ଟି ଏୟାରବେସ୍ ଧ୍ୱଂସ କରିଦେଇଛୁ।