ଯୋଗ ଗୁରୁ ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଉ ଏକ ବଡ଼ ଝଟକା ଲାଗିଛି । କାରଣ ତାଙ୍କର ଯୋଗ ଶିବିର ପାଇଁ ବର୍ତ୍ତମାନ ସେବା ଟିକସ ଦେବାକୁ ପଡ଼ିବ । ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୂୟାଁଙ୍କ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଟ୍ରିବ୍ୟୁନାଲର ନିଷ୍ପତ୍ତି ଅନୁଯାୟୀ ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂଗଠନ ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’କୁ ବର୍ତ୍ତମାନ ଉଭୟ ଆବାସିକ ତଥା ଅଣ-ଆବାସିକ ଯୋଗ ଶିବିର ପାଇଁ ସେବା ଟିକସ ଦେବାକୁ ପଡିବ ।
ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ରାମଦେବଙ୍କ ଯୋଗ ଶିବିର ପାଇଁ ପ୍ରବେଶ ଶୁଳ୍କ ଆଦାୟ କରିଥାନ୍ତି । ଜଷ୍ଟିସ ଓକ ଏବଂ ଜଷ୍ଟିସ ଭୂୟାଁଙ୍କ ବେଞ୍ଚ ରାୟରେ କହିଛନ୍ତି ଯେ ସେବା କର ଆପିଲ ଟ୍ରିବ୍ୟୁନାଲ ଠିକ ନିଷ୍ପତ୍ତି ନେଇଛନ୍ତି । ଏକ ପ୍ରବେଶ ଶୁଳ୍କ ଚାର୍ଜ କରିବା ପରେ ଯୋଗ ଶିବିରରେ ପ୍ରଦାନ କରାଯାଇଥିବା କାର୍ଯ୍ୟ ହେଉଛି ଏକ ସେବା । ଟ୍ରିବ୍ୟୁନାଲର ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ଆମେ ଦେଖୁନାହୁଁ ବୋଲି ବେଞ୍ଚ୍ କହିଛନ୍ତି । ତେଣୁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଆବେଦନକୁ ଖାରଜ କରାଯାଇଛି ।
ସିଇଏସଟିଏଟି ସ୍ୱୀକାର କରିଛି ଯେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଯୋଗ ଶିବିର ପାଇଁ ଅଂଶଗ୍ରହଣକାରୀଙ୍କଠାରୁ ଦେୟ ଆଦାୟ କରେ। ତେଣୁ ଟ୍ରଷ୍ଟର ଯୋଗ ଶିବିରଗୁଡ଼ିକ ସେବା ଟ୍ୟାକ୍ସର ଅଧୀନରେ ଆସୁଛି । ଟ୍ରିବ୍ୟୁନାଲ କହିଛନ୍ତି ଯେ ଟ୍ରଷ୍ଟ ବିଭିନ୍ନ ଆବାସିକ ଏବଂ ଅଣ-ଆବାସିକ ଶିବିରରେ ଯୋଗ ତାଲିମ ପ୍ରଦାନ କରିଥାଏ ଏବଂ ଦାନ ଆକାରରେ ଅଂଶଗ୍ରହଣକାରୀଙ୍କଠାରୁ ଟଙ୍କା ସଂଗ୍ରହ କରିଥାଏ, ଯାହା ପ୍ରଦାନ କରାଯାଇଥିବା ସେବାଗୁଡିକ ପାଇଁ ପ୍ରବେଶ ଶୁଳ୍କ ବୋଲି କୁହାଯାଇଥାଏ ।
ମିରଟ୍ ରେଞ୍ଜ୍ କମିଶନର ଅକ୍ଟୋବର ୨୦୦୬ ରୁ ମାର୍ଚ୍ଚ ୨୦୧୧ ମଧ୍ୟରେ ଅନୁଷ୍ଠିତ ଶିବିର ପାଇଁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟକୁ ପ୍ରାୟ ୪.୫ କୋଟି ଟଙ୍କାର ଜରିମାନା ଦେବାକୁ କୁହାଯାଇଛି । ଏନେଇ ଟ୍ରଷ୍ଟ କହିଛି ଯେ, ଏହା ଚିକିତ୍ସା ସେବା ଯୋଗାଇଥାଏ, ଯାହା ‘ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ସେବା’ ବର୍ଗରେ ରହିଛି । ଏଥିପାଇଁ ଏହା ଟିକସ ଯୋଗ୍ୟ ନୁହେଁ। ତେବେ ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ପାଇଁ ଟ୍ରଷ୍ଟର ଦାବିରେ ସକାରାତ୍ମକ ପ୍ରମାଣ ନାହିଁ ବୋଲି କହିଛନ୍ତି ଟ୍ରିବ୍ୟୁନାଲ ।
ଅଧିକ ପଢ଼ନ୍ତୁ : ସାମାନ୍ୟ ବଚସା ପାଇଁ ଗର୍ଭବତୀ ସ୍ତ୍ରୀକୁ ପୋଡିଦେଲା ସ୍ୱାମୀ