ଆଜିଠାରୁ ଆରମ୍ଭ ହୋଇଛି ସଂସଦରେ ଶୀତକାଳୀନ ଅଧିବେଶନ । ଶୀତକାଳୀନ ଅଧିବେଶନ ଆରମ୍ଭରୁ ସମସ୍ତ ରାଜନୈତିକ ଦଳର ଫ୍ଲୋର ଲିଡରମାନଙ୍କୁ ଗୃହକୁ ସୂଚାରୁ ରୂପେ ଚଳାଇବାରେ ସହଯୋଗ ପ୍ରଦାନ କରିବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ସେ ଯୁବ ସାଂସଦମାନଙ୍କୁ ସଦନର ଚର୍ଚ୍ଚା ଆଲୋଚନାରେ ଅଧିକରୁ ଅଧିକ ସୁଯୋଗ ଦେବାକୁ ମଧ୍ୟ ସେ ଆହ୍ୱାନ ଜଣାଇଛନ୍ତି । ଦେଶ ଏବେ ଆଜାଦୀ କା ଅମୃତ କାଳରେ ଆଗକୁ ବଢୁଛି । ଏହସହ ଦେଶରେ ଜି-20 ସମ୍ମିଳନୀରେ ଅଧ୍ୟକ୍ଷତା କିରବାର ସୁଯୋଗ ମିଳିଥିବାରୁ ସେ ଖୁସିବ୍ୟକ୍ତ କରି କହିଛନ୍ତି କି, ସାରା ବିଶ୍ୱ ଏବେ ଭାରତ ଉପରେ ଆଶା ପ୍ରକଟ କରୁଛି ବୋଲି ପ୍ରଧାନ ମନ୍ତ୍ରୀ କହିଛନ୍ତି |
ସେ ଆହୁରି କହିଛନ୍ତି ଯେ ପ୍ରଥମ ଥର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ରାଜ୍ୟସଭାର ସଭାପତି ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ । ସେ ଜଣେ ଚାଷୀଙ୍କ ପୁତ୍ର ଓ ରାଜ୍ୟସଭାର ସଭାପତି ଭାବେ ଦେଶର ଗୌରବ ବଢାଇବେ । ଏହି ଅବସରରେ ସେ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଆସନ୍ତା 29 ତାରିଖ ଯାଏ ଚାଲିବାକୁ ଥିବା ଅଧିବେଶନରେ ରହିଛି ମୋଟ 17ଟି କାର୍ଯ୍ୟ ଦିବସ । ଚଳିତ ଅଧିବେଶନରେ ପ୍ରାୟ 16ଟି ନୂଆ ବିଲ୍ ଆଗତ ହେବ । ବିଶ୍ବସ୍ତରୀୟ ଟ୍ରେଡମାର୍କ ରେଜିଷ୍ଟ୍ରେସନ ବିଲ୍, ବହୁମୁଖୀ ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍-2022 ଆଦି ଚଳିତ ଅଧିବେଶନରେ ଆଗତ ହେବ ।