ତିରୁଅନନ୍ତପୁରମ: କେରଳର ପ୍ରସିଦ୍ଧ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରରେ ୨୭୦ ବର୍ଷ ପରେ ଏକ ବିରଳ ମହା କୁମ୍ଭାଭିଷେକମ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଆସନ୍ତା ୮ ତାରିଖରେ ହେବ। ମନ୍ଦିରର ଅଧିକାରୀମାନେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ମନ୍ଦିରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ନବୀକରଣ କାର୍ଯ୍ୟ ସାମ୍ପ୍ରତିକ ସମୟରେ ସମାପ୍ତ ହୋଇଛି।
ମନ୍ଦିରର ନବୀକରଣ କାର୍ଯ୍ୟ ପରେ ଆସନ୍ତା ସପ୍ତାହରେ ମନ୍ଦିରରେ ମହା କୁମ୍ଭାଭିଷେକମ୍ (ଭବ୍ୟ ଅଭିଷେକ) ମହାନ ଭାବରେ ଅନୁଷ୍ଠିତ ହେବ। ମନ୍ଦିରର ପୂଜକଙ୍କ ଅନୁସାରେ ଏହି ରୀତିର ଉଦ୍ଦେଶ୍ୟ ହେଉଛି ଆଧ୍ୟାତ୍ମିକ ଶକ୍ତିକୁ ସୁଦୃଢ଼ କରିବା ଏବଂ ମନ୍ଦିରର ପବିତ୍ରତାକୁ ପୁନର୍ବାର ଜାଗ୍ରତ କରିବା।
ସୂଚନାଯୋଗ୍ୟ, ଏହି ବିଶେଷ ପ୍ରକାରର ମହା ଅନୁଷ୍ଠାନ ୨୭୦ ବର୍ଷ ପରେ ହେବାକୁ ଯାଉଛି। ମନ୍ଦିର ପରିଚାଳକ ବି ଶ୍ରୀକୁମାର ଏ ସମ୍ପର୍କରେ କହିଛନ୍ତି ଯେ ୨୭୦ ବର୍ଷରୁ ଅଧିକ ବ୍ୟବଧାନ ପରେ ଶତାବ୍ଦୀ ପୁରୁଣା ମନ୍ଦିରରେ ଏପରି ବ୍ୟାପକ ନବୀକରଣ ଏବଂ ସମ୍ପର୍କିତ ରୀତି କରାଯାଉଛି ଏବଂ ଆଗାମୀ କିଛି ଦଶନ୍ଧି ମଧ୍ୟରେ ଏହା ପୁନର୍ବାର ଘଟିବାର ସମ୍ଭାବନା କମ୍।
ସେ ଆହୁରି କହିଛନ୍ତି ଯେ ଜୁନ୍ ୮ ତାରିଖରେ ମନ୍ଦିର ପରିସରରେ 'ମହାକୁମ୍ଭାଭିଷେକମ୍' ପୂଜା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ପୂଜା ଅନୁଷ୍ଠିତ ହେବ, ଯେଉଁଥିରେ ନବନିର୍ମିତ 'ଥାଜିକାକୁଡମ୍' (ଗର୍ଭଗୃହ ଉପରେ ତିନୋଟି ଏବଂ ଓଟ୍ଟାକ୍ଲ ମଣ୍ଡପ ଉପରେ ଗୋଟିଏ), ବିଶ୍ୱସେନଙ୍କ ପ୍ରତିମା ପୁନଃସ୍ଥାପନ ଏବଂ ତିରୁବାମ୍ବାଡି ଶ୍ରୀକୃଷ୍ଣ ମନ୍ଦିର (ମୁଖ୍ୟ ମନ୍ଦିର ପରିସରରେ ଅବସ୍ଥିତ)ରେ 'ଅଷ୍ଟବନ୍ଧ କଳାସମ୍' ଅନ୍ତର୍ଭୁକ୍ତ।
ମନ୍ଦିର ପରିଚାଳକ ବି ଶ୍ରୀକୁମାର କହିଛନ୍ତି ଯେ ୨୦୧୭ ମସିହାରେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ ପ୍ୟାନେଲଙ୍କ ନିର୍ଦ୍ଦେଶ ଅନୁଯାୟୀ ନବୀକରଣ କାର୍ଯ୍ୟ କରାଯାଇଛି। ଯଦିଓ କାମ ଶୀଘ୍ର ଆରମ୍ଭ ହୋଇଥିଲା। କିନ୍ତୁ କୋଭିଡ୍ ପରିସ୍ଥିତି ଯୋଗୁଁ ଏହା ଆଗକୁ ବଢ଼ିପାରି ନଥିଲା।
ଅଧିକ ପଢ଼ନ୍ତୁ: ବୁମରା-ବୋଲ୍ଟ ସବୁ ଫେଲ, ଫାଇନାଲରେ ପଞ୍ଜାବ କିଙ୍ଗ୍ସ