ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାମନବମୀ ଅବସରରେ ରାମେଶ୍ୱରମକୁ ରେଳମାର୍ଗ ସହ ଯୋଡୁଥିବା ପାମ୍ବନ ବ୍ରିଜର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ତାମିଲନାଡୁରେ ନୂଆ ରାମେଶ୍ୱରମ-ତାମ୍ବରମ(ଚେନ୍ନାଇ) ରେଳ ସେବାକୁ ସବୁଜ ସଙ୍କେତ ଦେଖାଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କା ଗସ୍ତ ସମାପ୍ତ କରି ସିଧାସଳଖ ତାମିଲନାଡୁ ପହଞ୍ଚିଥିଲେ । ଏହି ସମୟରେ ସେ ଆକାଶମାର୍ଗରୁ ଐତିହାସିକ ରାମସେତୁର ଦର୍ଶନ କରିଛନ୍ତି । ଏହା ବ୍ୟତୀତ ଏହି ସମୟରେ ଅଯୋଧ୍ୟାରେ ରାମଲଲାଙ୍କ ସୂର୍ଯ୍ୟ ତିଳକର ଦର୍ଶନ କରିଛନ୍ତି । ଖୋଦ୍ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଏହାର ସୂଚନା ଦେଇଛନ୍ତି ।
ଭିଡିଓ ସେୟାର କରି ସେ ଲେଖିଛନ୍ତି, ଆଜି ରାମନବମୀ ଅବସରରେ ଶ୍ରୀଲଙ୍କାରୁ ଫେରୁଥିବା ସମୟରେ ଆକାଶରୁ ରାମସେତୁର ଦିବ୍ୟ ଦର୍ଶନ କରିଛି । ଈଶ୍ୱରୀୟ ସଂଯୋଗରେ ମୁଁ ଯେଉଁ ସମୟରେ ରାମସେତୁର ଦର୍ଶନ କରୁଥିଲି ସେହି ସମୟରେ ମୋତେ ଅଯୋଧ୍ୟାରେ ରାମଲଲାଙ୍କ ସୂର୍ଯ୍ୟ ତିଳକଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଛି । ମୋର ପ୍ରାର୍ଥନା ଆମେ ସଭିଙ୍କ ଉପରେ ଶ୍ରୀରାମଙ୍କ କୃପା ରହୁ ।
ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ରାମନବମୀର ଶୁଭକାମନା ଜଣାଇ କହିଛନ୍ତି, ସବୁ ଦେଶବାସୀଙ୍କୁ ରାମନବମୀର ବହୁତ ବହୁତ ଶୁଭକାମନା । ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ଅବସରରେ ଆପଣ ସମସ୍ତଙ୍କ ଜୀବନରେ ନୂତନ ଚେତନା ଓ ନୂତନ ଉତ୍ସାହ ନେଇକୁ ଆସୁ । ସଭିଙ୍କୁ ସଶକ୍ତ, ସମୃଦ୍ଧ ଓ ସମର୍ଥ ଭାରତର ସଂକଳ୍ପକୁ ନିରନ୍ତର ନୂଆ ଉର୍ଜା ପ୍ରଦାନ କରୁ ।