ନୂଆଦିଲ୍ଲୀ: ସମଗ୍ର ଦେଶରେ କୋଟି କୋଟି କୃଷକଙ୍କ ପାଇଁ ଆସିଛି ବଡ ଖବର । ଯେଉଁ ଅର୍ଥ ରାଶିକୁ ଅପେକ୍ଷା କରି ରହିଥିଲେ, ଏହାର ତାରିଖ ସ୍ଥିର ହୋଇଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୨ତମ କିସ୍ତି ମାର୍ଚ୍ଚ ୧୩ରେ କୃଷକଙ୍କ ଖାତାକୁ ଯିବ । ଏହାର ସୂଚନା ସରକାର ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେଇଛନ୍ତି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯୋଜନା ଆଧାରରେ ପରବର୍ତ୍ତୀ କିସ୍ତି ସ୍ଥିର ହୋଇଥିବା ତାରିଖରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ।
ଗତ କିଛି ସମୟ ଧରି କୃଷକ ଅପେକ୍ଷା କରିଥିଲେ ଯେ, ୨୨ତମ କିିସ୍ତି କେବେ ମିଳିବ । ପ୍ରଥମେ ଖବର ଆସିଥିଲା ଯେ, ଫେବୃଆରୀ ଶେଷ ସୁଦ୍ଧା କୃଷକଙ୍କ ଖାତାକୁ ୨୦୦୦ ଟଙ୍କା ଟ୍ରାନ୍ସଫର କରାଯିବ । ଏହା ପରେ ପୁଣି ଖବର ଆସିଲା ଯେ, ହୋଲି ପୂର୍ବରୁ ମିଳିବ । କିନ୍ତୁ ଏବେ ସ୍ପଷ୍ଟ ହୋଇଛି ଯେ, ମାର୍ଚ୍ଚ ୧୩ ତାରିଖରେ ପିଏମ କିଷାନ ଯୋଜନାର ଅର୍ଥରାଶି ଚାଷୀଙ୍କ ଖାତାକୁ ଯିବ ।
ଉଲ୍ଲେଖନୀୟ ଏହି ଯୋଜନା ଆଧାରରେ କୃଷକଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । ପ୍ରତି ଚାରି ମାସରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଲେଖାଏଁ ଟ୍ରାନ୍ସଫର କରାଯାଏ । ଯଦ୍ୱାରା ଚାଷୀଙ୍କୁ କୌଣସି ଅସୁବିଧା ନ ହେବ ।
କିଛି କୃଷକଙ୍କୁ ମିଳିବନି ଟଙ୍କା
ଏଥର କିଛି କୃଷକଙ୍କୁ ପିଏମ କିଷାନ ଯୋଜନାର ଟଙ୍କା ମିଳିବ ନାହିଁ । କାରଣ କାଗଜପତ୍ରରେ ଗଡବଡି ଯୋଗୁଁ ଏଥର ବି କିଛି ଚାଷୀଙ୍କୁ ଅର୍ଥ ମିଳିବ ନାହିଁ । ଏହା ପୂର୍ବରୁ ୨୧ତମ କିସ୍ତି ସମୟରେ ୩୦ ଲକ୍ଷରୁ ଅଧିକ ନାଁକୁ ତାଲିକାରୁ ହଟାଯାଇଥିଲା ।
Also read: ଦେଶର ପ୍ରଥମ ଇଚ୍ଛାମୃତ୍ୟୁ ଆବେଦନକୁ ମିଳିଲା ଅନୁମତି, ୧୩ ବର୍ଷର କଷ୍ଟରୁ ମୁକ୍ତି ପାଇବେ ହରିଶ