ଶ୍ରୀନଗର, ଜୁନ୍ ୩୦ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ବୁଧବାର ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି । ସୁରକ୍ଷା ବାହିନୀର ଯବାନମାନେ ଅମରନାଥ ଯାତ୍ରା ମାର୍ଗ ନିକଟରେ ଆତଙ୍କବାଦୀ ସଂଗଠନ ‘ଲଶ୍କର-ଏ-ତଏବା’ର ୨ ଜଣ ସଦସ୍ୟଙ୍କୁ ନିପାତ କରିଛନ୍ତି । ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜଣେ ପୋଲିସ ଅଧିକାରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ଯେଉଁ ସ୍ଥାନରେ ଏନକାଉଣ୍ଟର ହୋଇଛି, ତାହା ଅମରନାଥ ଯାତ୍ରାପଥ ଠାରୁ ଅଳ୍ପ ଦୂରରେ ।
ପୋଲିସ କହିଛି ଯେ. କୁଲଗାମ ଜିଲ୍ଲାରେ ମୀର ବଜାର ଅଞ୍ଚଳର ନଭାପୁରାରେ ଆତଙ୍କବାଦୀମାନେ ଉପଲବ୍ଧ ଥିବା ସୂଚନା ମିଳିଥିଲା । ଏହା ପରେ ସୁରକ୍ଷା ବାହିନୀ ସଂପୃକ୍ତ ଅଞ୍ଚଳକୁ ଘେରି ଯାଇଥିଲେ । ଅଧିକାରୀଙ୍କ କହିବା ଅନୁସାରେ ସର୍ଚ୍ଚ ଅପରେଶନ ସମୟରେ ଏନକାଉଣ୍ଟର ହୋଇଥିଲେ, ଯେଉଁଥିରେ କି ୨ ଜଣ ଆତଙ୍କବାଦୀ ଟଳିପଡ଼ିଥିଲେ ।
କଶ୍ମୀର ଜୋନ୍ର ପୋଲିସ ମହାନିରୀକ୍ଷକ ବିଜୟ କୁମାର ଟୁଇଟ କରି କହିଛନ୍ତି ଯେ, ନିହତ ହେଶଇଥିବା ୨ ଜଣ ଆତଙ୍କବାଦୀଙ୍କ ପରିଚୟ ମିଳିଛି । ସେମାନେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା ସହିତ କାମ କରୁଥିଲେ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏନକାଉଣ୍ଟର ବୋଲି ସେ କହିଛନ୍ତି । କାରଣ ଜାତୀୟ ରାଜପଥ ଠାରୁ ଏହି ଘଟଣାସ୍ଥଳ କମ୍ ଦୂରରେ ରହିଛି ।