ପାଟଣା, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା): ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନବୋହୂ ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଧର୍ମପତ୍ନୀ ରାଜଶ୍ରୀ ପ୍ରଥମ ଥର ନିଜର ଶ୍ୱଶୁର ଘର ଫୁଲୱରିଆକୁ ସେପ୍ଟେମ୍ବର ୨୪ ତାରିଖରେ ଯିବେ । ତାଙ୍କ ସହିତ ସ୍ୱାମୀ ତେଜସ୍ୱୀ ମଧ୍ୟ ପହଂଚିବେ । ତେଜସ୍ୱୀ ଯାଦବ ବିବାହ ପରେ ପ୍ରଥମ ଥର ନିଜର ପୈତୃକ ଗାଁକୁ ଯାଉଛନ୍ତି । ଫୁଲୱରିଆର ବୋହୂ ଭାବେ ରାଜଶ୍ରୀ ଲାଲୁ ପରିବାରଙ୍କ ଆଶୀର୍ବାଦ ନେବାକୁ ପ୍ରଥମ ଥର ସେମାନେ ଆସୁଛନ୍ତି । ଉଭୟଙ୍କ ପୈତୃକ ଗାଁ ଫୁଲୱରିଆ ଆସିବା ବହୁତ ସ୍ୱତନ୍ତ୍ର କୁହାଯାଉଛି । ସ୍ୱାଗତ ପାଇଁ ପୈତୃକ ଗାଁରେ ଜୋରଦାର ପ୍ରସ୍ତୁତି ଚାଲିଛି ।
ୠାଲୁ ପ୍ରସାଦ ଯାଦବ ଯେଉଁ ଘରେ ରହୁଥିଲେ, ଏହାକୁ ରଂଗୀନ କରାଯାଉଛି । ଏଥି ସହିତ ମୁଖ୍ୟମନ୍ତ୍ରୀତ୍ୱ କାଳରେ ନିର୍ମାଣ ହୋଇଥିବା ରେଫରାଲ ହସ୍ପିଟାଲ, ଫୁଲୱରିଆ ଗାଁର ତୋରଣଦ୍ୱାର, ଲାଲୁ ପ୍ରସାଦ ଯେଉଁ ପରିସରରେ ବୈଠକ କରୁ କରି ଲୋକଙ୍କ ସମସ୍ୟା ବୁଝୁଥିଲେ, ଏହାର ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଜାରି ରହିଛି । ପ୍ରଶାସନିକ ସ୍ତରରେ ମଧ୍ୟ ଉପମୁଖ୍ୟମନ୍ତ୍ରୀଙ୍କ ଆଗମନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ତେଜସ୍ୱୀ ଓ ରାଜଶ୍ରୀଙ୍କ ଆଗମନ ନେଇ ଗାଁ ଲୋକେ ବହୁତ ଖୁସି ଅନୁଭବ କରୁଛନ୍ତି ।