ଇଟାୱା, ଅକ୍ଟୋବର ୦୪ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଇଟାୱା ଜିଲ୍ଳାରେ ରାମଲୀଳା ମଞ୍ଚରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ମଞ୍ଚରେ ନିଆଁ ଲାଗିବା ପରେ ଲୋକେ ଜୀବନ ବିକଳରେ ମଂଚ ଛାଡ଼ି ପଳାୟନ କରିଛନ୍ତି । ଏଠାରେ ଉପସ୍ଥିତ ଥିବା ଜନତାଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଦଳଚକଟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ ଇଟାୱା ଜିଲ୍ଲାର ଭରଥନାସ୍ଥିତ ମିଡିଲ ସ୍କୁଲ ପଡ଼ିଆରେ ଶ୍ରୀରାମଲୀଳା ମଞ୍ଚରେ ସୋମବାର ସନ୍ଧ୍ୟାରେ ପାଖାପାଖି ସାଢ଼େ ୬ଟାରେ ଅଗ୍ନିକାଣ୍ଡ ହୋଇଥିଲା । ଏହା ଦ୍ୱାରା ଦଳଚକଟା ପରିସ୍ଥିତି ଉପୁଜି ଥିଲା । ଅଗ୍ନିଶମ ବିଭାଗର ଟିମ୍ ଖବର ପାଇ ଘଟଣାସ୍ଥଳକୁ ପହଂଚିଥିଲେ ଏବଂ ୨୦ ମିନିଟ ପରେ ନିଆଁ ଆୟତ୍ତକୁ ଆସିଥିଲା ।
ନାଟକ ମଞ୍ଚସ୍ଥ ହେବା ପୂର୍ବରୁ ପେଣ୍ଡାଲରେ ଲାଗିଥିବା ବୈଦ୍ୟୁତିକ ଯନ୍ତ୍ରରେ ଶର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଲାଗିବା ପରେ ଲୋକେ ଏଣେ ତେଣେ ପଳାୟନ କରିଥିଲେ । କମିଟିର ସଦସ୍ୟ ପେଣ୍ଡାଲରେ ଥିବା ଲୋକଙ୍କୁ ବାହାରିଯିବାକୁ ପରାମର୍ଶ ଦେଇଥିଲେ । ତହସିଲଦାର ସଂପୂର୍ଣ୍ଣ କୁଳଶ୍ରେଷ୍ଠ କହିଛନ୍ତି, ଏହି ଅଘଟଣ ଯୋଗୁଁ କୌଣସି ଜୀବନକୁ କ୍ଷତି କରିନାହିଁ ।