ପାଟଣା, ମେ ୧୫ (ଖବର ଓଡ଼ିଶା): ବିହାରରେ ମଦ ଉପରେ ସଂପୂର୍ଣ୍ଣ ରୂପେ କଟକଣା ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ରାଜ୍ୟରେ ମଦ ପ୍ରସ୍ତୁତି ଓ ମଦ ବିକିବା ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଚାଲାଣକାରୀମାନେ ବିଭିନ୍ନ ଉପାୟରେ ନିଜର କାରବାର କରୁଛନ୍ତି । ମଦ ମାଫିଆମାନେ ସରକାରୀ ଆଇନକୁ ଫୁ କରିଦେଉଛନ୍ତି । ଛପରା ଜିଲ୍ଲାର ଦିୟରା ଅଞ୍ଚଳରେ ଏବେ ଡ୍ରୋନ୍ ମାଧ୍ୟମରେ ତସ୍କର ଉପରେ ନଜର ରଖାଯାଉଛି । ଏକ ନଦୀ ଭିତରୁ ବିପୁଳ ପରିମାଣରେ ମଦ ଜବତ ହୋଇଛି ।
ଡ୍ରୋନ୍ ଜରିଆରେ କରାଯାଇଥିବା ନଜର ଅନୁସାରେ ବିଭାଗକୁ ସନ୍ଦେହ ହୋଇଥିଲା ଯେ, ନଦୀ ଭିତରେ ମଦ ରଖାଯାଉଛି । ଏହା ପରେ ଅବକାରୀ ବିଭାଗ ନଦୀ ଭିତରେ ମଦ ଖୋଜିବା ପାଇଁ ଆଦେଶ ଦେଇଥିଲେ । ମାଫିଆମାନେ ନଦୀ ଭିତରେ ମଦ ଲୁଚାଇ ରଖିଥିଲେ । ନଦୀ ଭିତରୁ ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି । ସରକାର ବିଭିନ୍ନ ସମୟରେ ଚଢ଼ଉ କରୁଛନ୍ତି । କିନ୍ତୁ ମଦ ମାଫିଆମାନେ ନୂଆ ନୂଆ ବିକଳ୍ପ ବାହାର କରୁଛନ୍ତି ।