ନୂଆଦିଲ୍ଲୀ: ମେଡିକାଲରେ ନାମଲେଖା ସଂପର୍କିତ ନ୍ୟାସନାଲ ଇଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଏକ୍ଜାମ୍ (ନିଟ୍ ପରୀକ୍ଷା)-୨୦୨୪ରେ ତ୍ରୁଟି ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଛି। ସୁପ୍ରିମକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି କହିଛନ୍ତି, ପରୀକ୍ଷା ବାତିଲ କରାଯାଇପାରିବ ନାହିଁ` ମେଡିକାଲ କାଉନସିଲିଂ ମଧ୍ୟ ବାତିଲ କରାଯାଇ ପାରିବ ନାହିଁ। ଉଚ୍ଚତମ ନ୍ୟାୟାଳୟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)କୁ ମଧ୍ୟ ନୋଟିସ ଜାରି କରିଛନ୍ତି। କୋର୍ଟ କହିଛନ୍ତି, ଆମକୁ ଏନ୍ଟିଏର ଦଲିଲକୁ ମଧ୍ୟ ଦେଖିବାର ଅଛି।
ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାରେ ପରୀକ୍ଷାର ଫଳ ବାତିଲ କରିବାକୁ ଦାବି କରାଯାଇଥିଲା। ଆବେଦନରେ ଗତ ମେ’ ମାସ ୫ ତାରିଖରେ ଅନୁଷ୍ଠିତ ପରୀକ୍ଷାରେ ତ୍ରୁଟି ହୋଇଥିବା କୁହାଯାଇଥିଲା। ସେହିପରି ଠକେଇ ନେଇ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ (ଏସ୍ଆଇଟି) ଗଠନ କରିବା ଓ ପେପର ଲିକ୍ ଯାଞ୍ଚ ପୂରା ହେବା ପର୍ଯ୍ୟନ୍ତ କାଉନସିଲ ଉପରେ କଟକଣା ଲାଗୁ କିବାକୁ ଦାବି ହୋଇଥିଲା।
ଛାତ୍ରଛାତ୍ରୀଙ୍କ ସହାୟତା ଓ ଲାଭ ପାଇଁ କାମ କରୁଥିବା ଏକ ସଂଗଠନର ଦୁଇ ଜଣ ସଦସ୍ୟ ଆବେଦନରେ କହିଛନ୍ତି, ନିଟ୍ର ପେପର ଲିକ୍ ଘଟଣା ସେମାନଙ୍କୁ ସ୍ତବ୍ଧ କରିଦେଇଛି। କାରଣ ଅନେକ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇଛି। ଅନେକ ମେଧାବୀ ଛାତ୍ରଛାତ୍ରୀ ଡାକ୍ତର ହେବାରୁ ବଞ୍ଚିତ ହୋଇଛନ୍ତି। ପୀଡିତ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ମିଳିବ ବୋଲି କୋର୍ଟରେ ଆବେଦନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କର ପରିବାର ଲୋକେ ତାଙ୍କ ଜୀବନରେ ଯାହା ରୋଜଗାର କରିଥିଲେ, ସବୁ ଖର୍ଚ୍ଚ କରିଦେଇଛନ୍ତି। କିନ୍ତୁ ସେମାନଙ୍କୁ ଏଥିରୁ ଫଳ ମିଳିନାହିଁ।
ଆବେଦନ ଅନୁସାରେ କିଛି ଛାତ୍ର ୭୧୮ରୁ ୭୧୯ ନମ୍ବର ଆଣିଛନ୍ତି, ଯାହାକି ଅସମ୍ଭବ। ପରୀକ୍ଷାରେ ସ୍ବଚ୍ଛତା ନଥିବାରୁ ଏଭଳି ହୋଇଛି ବୋଲି ଅଭିଯୋଗ ହୋଇଛି। ୬୭ ଜଣ ଛାତ୍ରଙ୍କୁ ୭୨୦ରୁ ୭୨୦ ନମ୍ବର ଆଣିଛନ୍ତି। ଏମାନଙ୍କ ମଧ୍ୟରୁ ୮ ଜଣ ଗୋଟିଏ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ଏନ୍ଟିଏ ଦ୍ବାରା ଆୟୋଜିତ ପରୀକ୍ଷାରେ ଗମ୍ଭୀର ସନ୍ଦେହ ହେଉଛି। ସୂଚନାଯୋଗ୍ୟ ସୁପ୍ରିମକୋର୍ଟ ନିକଟରେ ନିଟ-ୟୁଜିର ଫଳର ଘୋଷଣା ଉପରେ ରୋକ ଲଗାଇବା ନେଇ ମନା କରିଦେଇଥିଲେ।