ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ମଙ୍ଗଳବାର ଅଲଗା ଅଲଗା ଓକିଲଙ୍କ ଦ୍ୱାରା ଗୋଟିଏ ମାମଲାକୁ ବାରମ୍ବାର ଉଲ୍ଲେଖ କରିବା ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କଡା ଟିପ୍ପଣୀ କରି କହିଛନ୍ତି, ଜଣେ ପ୍ରଧାନ ବିଚାରପତି ଭାବେ ମୋ ନିକଟରେ ଯାହା କିଛି ବିବେକ ରହିଛି, ତାର ବ୍ୟବହାର କେବେ ବି ଆପଣଙ୍କ ସପକ୍ଷରେ କରିବି ନାହିଁ । ମଙ୍ଗଳବାର ଆଜିର ଶୁଣାଣି ସମୟରେ ଜଣେ ଓକିଲ ଖଣି ପଟ୍ଟା ମାମଲା ଉଠାଇଥିଲେ ।
ଏହା ଉପରେ ଚନ୍ଦ୍ରଚୂଡ କହିଛନ୍ତି, ଏହି ମାମଲା ପୂର୍ବରୁ ହିଁ ପୀଠ ସାମ୍ନାରେ ରଖା ଯାଇଛି । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଅଦାଲତରେ ବାରମ୍ବାର ଗୋଟିଏ ମାମଲା ଉଲ୍ଲେଖ କରି ନିଜ ସପକ୍ଷରେ ଅନୁକୂଳ ଆଦେଶ ପାଇବାକୁ ଚେଷ୍ଟା କରନ୍ତୁ ନାହିଁ । ଅଲଗା ଅଲଗା ଓକିଲ ଗୋଟିଏ ମାମଲାକୁ ବାରମ୍ବାର ଉଠାଇବା ପ୍ରଥା ବନ୍ଦ କରନ୍ତୁ । ଆପଣ କେବଳ ସୁଯୋଗ ହାତେଇବାକୁ ଚେଷ୍ଟା କରୁଛନ୍ତି । ମୋ ପାଖରେ ଯାହା କିଛି ବିବେକ ରହିଛି, ତାର ବ୍ୟବହାର ଆପଣଙ୍କ ସପକ୍ଷରେ କରିବି ନାହିଁ, କାରଣ ଏହି ଅଦାଲତକୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି ।
ପ୍ରଧାନ ବିଚାରପତି କହିଛନ୍ତି, ଗୋଟିଏ ମାମଲାକୁ ବାରମ୍ବାର ଉପସ୍ଥାପନ କରାଯାଇ ବିଚାରପତିଙ୍କୁ ଭ୍ରମିତ କରି ଆଦେଶ ପ୍ରାପ୍ତ କରିବା ପାଇଁ ଉଦ୍ୟମ କରାଯାଉଛି । ଏହା କଦାପି ଗ୍ରହଣୀୟ ନୁହେଁ । ତିନି ତିନି ଓକିଲ ଡକା ଯାଉଛି, ଆଉ ତୁରନ୍ତ ଜଜଙ୍କ ନିକଟରୁ ଆଦେଶ ପାଇ ଯାଉଛନ୍ତି । ଏହି ଅଦାଲତରେ ମୋ ସମ୍ମୁଖରେ ଏମିତି ଚଳିବ ନାହିଁ । କାରଣ ମୋର ବ୍ୟକ୍ତିଗତ ଛବି ବାଜରେ ଲାଗିଛି । ଏମିତି କୁହାଯାଉଛି ଯେ, ମୁଁ ମାମଲାର ଲିଷ୍ଟିଂରେ ନିୟମର ପାଳନ କରୁନି । ତେଣୁ ଏମିତି କାମରୁ ନିବୃତ ରହିବାକୁ ପ୍ରଧାନ ବିଚାରପତି କହିଛନ୍ତି ।