ଭୁବନେଶ୍ୱର: ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏଆର ଇଣ୍ଡିଆ ବିମାନରେ ବୋମା ଥିବା ଧମକ ଦିଆଯିବାପରେ ମୁମ୍ବାଇକୁ ପ୍ରତ୍ୟାବର୍ତନ କରିଛି । କର୍ମଚାରୀଙ୍କୁ ଧମକ ମିଳିବା ଯୋଗୁଁ ଉଡ଼ାଣର ୮ ଘଣ୍ଟା ପରେ ୩୦୩ ଜଣ ଯାତ୍ରୀ ତଥା ୧୯ ଜଣ କୃ ଙ୍କ ସହିତ ବୋଇଙ୍ଗ ୭୭୭ ବିମାନ ମୁମ୍ବାଇରେ ଅବତରଣ କରିଛି । ବିମାନଟି ଅଜରବେଜାନ ଦେଇ ଉଡାଣ ଭରିବା ସମୟରେ ବିମାନକୁ ଏହି ଧମକ ମିଳିଥିଲା । ଫଳରେ ନିଜର ଗତିପଥ ବଦଳାଇ ବିମାନଟି ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିଛି । ତେବେ ମୁମ୍ବାଇରେ ଅବତରଣ ବେଳେ ବୋମା ନିଷ୍କ୍ରିୟକାରୀ ଦଳ ଛାନବୀନ କରିଥିଲେ ହେଁ କୌଣସି ବୋମା ମିଳିନଥିଲା ଓ ଏହି ଧମକ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା ।
ବିମାନଟି ଭୋର 2ଟା ସମୟରେ ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡାଣ ଭରିଥିଲା ଏବଂ ସକାଳ ୧୦.୨୫ ସମୟରେ ଏହା ପୁନର୍ବାର ମୁମ୍ବଇରେ ପହଞ୍ଚିଥିଲା । ବିମାନ ସଂଖ୍ୟା AI- ୧୧୯ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ନ୍ୟୁୟର୍କ ସ୍ଥିତ ଜନ ଏଫ କେନେଡି ବିମାନବନ୍ଦରକୁ ଯାତ୍ରା ନିମନ୍ତେ ୧୫ ଘଣ୍ଟାର ସମୟ ଲାଗିଥାଏ । ପୁନର୍ବାର ଏହି ବିମାନଟି ଆସନ୍ତାକାଲି ସକାଳ ୫ଟା ସମୟରେ ଯାତ୍ରା ଆରମ୍ଭ କରିବ ।
ଏନେଇ ଏଆରଇଣ୍ଡିଆ ଜାରି କରିଥିବା ବିବୃତି ଅନୁଯାୟୀ, ବିମାନଟି ପୁଣିଥରେ ମୁମ୍ବାଇ ଫେରିବାର ନିଷ୍ପତ୍ତି, ଆତଙ୍କବାଦୀଙ୍କ ଦ୍ୱାରା ଦିଆଯାଇଥିବା ଧମକ ପରେ ନିଆଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ତାଙ୍କୁ ରହିବା ପାଇଁ ହୋଟେଲ, ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଦିଆଯାଉଛି ।