ଭୋପାଳ: ମଧ୍ୟପ୍ରଦେଶର ମୋହନ ଯାଦବ ସରକାରଙ୍କ କ୍ୟାବିନେଟ୍ ବୁଧବାର ଏକାଧିକ ନିଷ୍ପତ୍ତି ନେଇଛନ୍ତି। ମଧ୍ୟପ୍ରଦେଶ ସରକାର ଆଉ ଭଡ଼ାରେ ବିମାନ ଆଣିବେ ନାହିଁ। ରାଜ୍ୟ ସରକାର ଏକ ବିମାନ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ରାଜ୍ୟ କ୍ୟାବିନେଟ ଏନେଇ ମୋହର ମାରିଛି।
କ୍ୟାବିନେଟ ମନ୍ତ୍ରୀ କୈଳାଶ ବିଜୟବର୍ଗୀୟ କହିଛନ୍ତି, ମଧ୍ୟପ୍ରଦେଶ ସରକାର କାନାଡାର କଂପାନୀ ବମ୍ବାର୍ଡିୟର ଠାରୁ ଚ୍ୟାଲେଞ୍ଜର ୩୫୦୦ ଜେଟ୍ ବିମାନ ୨୩୩ କୋଟି ଟଙ୍କାରେ କିଣିବେ। ଏଥି ପାଇଁ କ୍ୟାବିନେଟରେ ମଂଜୁରୀ ମିଳିଛି। ବର୍ତ୍ତମାନ କ୍ଷେତ୍ରରେ ମଧ୍ୟପ୍ରଦେଶ ସରକାର ଭଡ଼ା ସୂତ୍ରରେ ଜାହାଜ ଆଣି କାମ ଚଳାଉଛନ୍ତି। ଅନେକ ସମୟରେ ଜରୁରୀକାଳୀନ ସମୟରେ ବିମାନ ମଧ୍ୟ ମିଳିପାରୁ ନାହିଁ। ଏହି ଭଳି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଜେଟ୍ ବିମାନ କିଣିବା ଦିଗରେ କାମ କରୁଛନ୍ତି।
ଏଥି ସହିତ ବଲ୍ଲଭ ଭବନରେ ହୋଇଥିବା କ୍ୟାବିନେଟ ବୈଠକରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକ ସଂପର୍କରେ ନଗର ଉନ୍ନୟନ ମନ୍ତ୍ରୀ କୈଳାଶ ବିଜୟବର୍ଗୀୟ କହିଛନ୍ତି, ପିଏମ୍ ଏକ୍ସିଲେନ୍ସି କଲେଜ ପ୍ରତି ଜିଲ୍ଲାରେ ନିର୍ମାଣ କରାଯିବ। ଜୁଲାଇ ୧୪ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଇନ୍ଦୋର ଗସ୍ତରେ ଆସିବେ। ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ଏକ୍ସିଲେନ୍ସି କଲେଜର ଶୁଭାରମ୍ଭ କରିବେ। ଏଥିରେ ନୂଆ ଶିକ୍ଷାନୀତି ଆଧାରରେ ପାଠପଢ଼ାଯିବ। ଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ରୋଜଗାର କରିବାରେ ସହାୟତ ମିଳିବ। ଭାରତ ସରକାରଙ୍କ ତରଫରୁ କଲେଜକୁ ୨୨ କୋଟି ଟଙ୍କା ସହାୟତା ରାଶି ଦିଆଯାଉଛି। ବାକି ଟଙ୍କା ରାଜ୍ୟ ସରକାର ଦେବେ। ମନ୍ତ୍ରୀ ଶ୍ରୀ ବିଜୟବର୍ଗୀୟ କହିଛନ୍ତି, ଇ-ବିଧାନ ପ୍ରକଳ୍ପ ମାଧ୍ୟମରେ ମଧ୍ୟପ୍ରଦେଶ ବିଧାନସଭାକୁ କାଗଜ ବିହୀନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାକୁ ମଂଜୁରୀ ଦିଆଯାଇଛି। ଏଥିରେ ୨୩ କୋଟ ଟଙ୍କା ଖର୍ଚ୍ଚ ହେବ।