ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏକ ଲୋକାଲ ଟ୍ରେନର ମହିଳା ବଗି ଭିତରେ ଜଣେ ଅଜଣା ଯାତ୍ରୀଙ୍କ ମୋବାଇଲ୍ ଫୋନ୍ ବିସ୍ଫୋରଣ ହେବାରୁ କିଛି ସମୟ ପାଇଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ଦେଇ ଥାନେ ମ୍ୟୁନିସିପାଲ କର୍ପୋରେସନର ବିପର୍ଯ୍ୟୟ ପରିଚାଳନା ସେଲ୍ର ମୁଖ୍ୟ ୟାସିନ୍ ତାଡଭି କହିଛନ୍ତି ଯେ ସୋମବାର ରାତି ୮ଟା ୧୨ ମିନିଟ୍ରେ କାଲୱା ଷ୍ଟେସନରେ ସିଏସ୍ଏମ୍ଟି-କଲ୍ୟାଣ ଉପନଗରୀ ଟ୍ରେନ୍ରେ ଏକ ମୋବାଇଲ୍ ଫୋନ୍ ବିସ୍ଫୋରଣ ହେବା ଫଳରେ ଟ୍ରେନ୍ରେ ଆତଙ୍କ ଖେଳି ଯାଇଥିଲା।
ଅନ୍ୟପକ୍ଷରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ (ସିଏସ୍ଏମ୍ଟି)ର ରିପୋର୍ଟ ଅନୁଯାୟୀ, ଏହି ଘଟଣା ପରେ ଟ୍ରେନ୍ରେ ନିଶ୍ଚିତ ବିଶୃଙ୍ଖଳା ଦେଖାଦେଇଥିଲା। ଏହାବ୍ୟତୀତ ବିସ୍ଫୋରଣ ଯୋଗୁଁ ଧୂଆଁ ମଧ୍ୟ ବ୍ୟାପିଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରେଳବାଇ କର୍ମଚାରୀମାନେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରିଥିଲେ। ଟ୍ରେନ୍ରେ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ମୋବାଇଲ୍ ଫୋନ୍ ବିସ୍ଫୋରଣ ଯୋଗୁଁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏହି ବିସ୍ଫୋରଣ ରେ ବଗିରେ ଧୂଆଁ ଭରିଯିବାରୁ ଅନେକ ଯାତ୍ରୀ ବାହାରକୁ ବାହାରିବା ପାଇଁ କବାଟ ଆଡକୁ ଦୌଡ଼ି ଆସିଥିଲେ। ରେଳବାଇ ପୁଲିସ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଯେଉଁ ମହିଳାଙ୍କ ମୋବାଇଲ୍ ଫୋନ୍ ବିସ୍ଫୋରଣ ହୋଇଛି, ତାଙ୍କ ପରିଚୟ ମିଳିପାରିନାହିଁ। ଘଟଣାର ତଦନ୍ତ ଜାରି ରହିଛି। ବ୍ୟାଟେରୀ ଖରାପ ହେତୁ ଏହି ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି।
ଅଧିକ ପଢ଼ନ୍ତୁ: କୁମ୍ଭମେଳା ଅଞ୍ଚଳ ନୋ ଭେଇକିଲ ଜୋନ୍ ଘୋଷିତ