କୋଲକାତା: କେନ୍ଦ୍ର ଓ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ମଧ୍ୟରେ ଇଡି ରେଡ୍ ପରେ ରାଜନୈତିକ ସଂଗ୍ରାମ ଆରମ୍ଭ ହୋଇଛି । ଗୁରୁବାର ଇଡି କୋଇଲା ଘୋଟାଲା ଓ ହାୱାଲା ରାକେଟ୍ ମାମଲାରେ ଚଢାଉ କରିଥିଲା । ଏହି ମାମଲାର ତଦନ୍ତ ଆଇପିଏସି ପର୍ଯ୍ୟନ୍ତ ପହଞ୍ଚିଥିଲା । ଆଇପିଏସିର ଦୁଇଟି ଠିକଣାରେ ରେଡ୍ ହେବାରୁ ଖୋଦ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି । ମମତା ବାନାର୍ଜୀ ସରକାର ଆଇପିଏସି ନିର୍ବାଚନରେ କନସଲଟେନ୍ସିର ଦାୟିତ୍ୱ ଦେଇଛି ।
ଅନ୍ୟପଟେ ମମତା ବାନାର୍ଜୀ ପୂରା ଫୋର୍ସ ନେଇ ତଦନ୍ତସ୍ଥଳରେ ପହଞ୍ଚିବା ନେଇ ଘୋର ଆପତ୍ତି ପ୍ରକାଶ କରିଥିଲା ଇଡି । ଇଡି ଅଭିଯୋଗ କରିଛି ଯେ, ଦୁଇଟି ସ୍ଥାନରୁ ମମତା ବାନାର୍ଜୀ ଖୋଦ୍ କିଛି ଫାଇଲ୍ ଓ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ନେଇକି ଯାଇଥିଲେ, ଯେଉଁଥିରେ ଜରୁରୀ ପ୍ରମାଣ ଥିଲା ।
ଏହା ମଧ୍ୟରେ ମମତା ବାନାର୍ଜୀ କୋଲକାତାରେ ଖୋଦ୍ ରାଲି ବାହାର କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ପ୍ରଦର୍ଶନକାରୀଙ୍କ ନେତୃତ୍ୱ କରି ସଡକକୁ ଓହ୍ଲାଇଛନ୍ତି ଏବଂ ବିଜେପି ସରକାର ଉପରେ ନିର୍ଯାତନାର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ସରକାର ନିର୍ବାଚନ ନିକଟତର ହେବା ମାତ୍ରେ ଏଜେନ୍ସି ଲଗାଇ ଦୁର୍ନୀତି ନାମ ଏଜେନ୍ସିର ଦୁରୁପଯୋଗ କରୁଛନ୍ତି । ଅନ୍ୟପଟେ ଏହି ମାମଲାରେ ଯେବେ କଲିକତା ହାଇକୋର୍ଟରେ ଶୁଣାଣି ହେଲା ମାହୋଲ ବେଶ ସରଗରମ ଥିଲା । ସ୍ଥିତି ଏମିତି ସୃଷ୍ଟି ହେଲା ଯେ, ଜଷ୍ଟିସ ସୁଭ୍ରା ଘୋଷ କେସ୍ ଛାଡି ନିଜ ଆସନରୁ ଉଠି ଚାଲିଗଲେ । ତାଙ୍କ କହିବା କଥା ଏତେ ପାଟିତୁଣ୍ଡ ମଧ୍ୟରେ କେସର ଶୁଣାଣି କରିବା ସମ୍ଭବ ନୁହେଁ । ସପ୍ତାହନ୍ତରେ ଅଦାଲତ ଛୁଟି ରହିବ ଏବଂ ବୁଧବାର କେସର ଶୁଣାଣି ହେବ ।
ସୂଚନାଯୋଗ୍ୟ, ଆଇପିଏସି ଏକ ରାଜନୈତିକ କନସଲଟାନ୍ସି ସଂସ୍ଥା । ଏହି ସଂସ୍ଥା ଟିଏମସିର ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତିରେ ସହାୟତା କରିଥାଏ । ପୂର୍ବରୁ ହିଁ ଏହି ପାର୍ଟି ଟିଏମସି ପାଇଁ କାମ କରି ଆସୁଛି । ଏହି କମ୍ପାନିର ମୁଖ୍ୟ ହେଉଛନ୍ତି ପ୍ରତୀକ ଜୈନ । ଇଡିର କହିବା କଥା ଆଇପିଏସିକୁ ବେଆଇନ ଅର୍ଥ ଆସୁଛି । ଏହି ଅଭିଯୋଗ ଆଧାରରେ ଇଡି କମ୍ପାନିର ଅଫିସ ଓ ପ୍ରତୀକ ଜୈନଙ୍କ ଘର ଉପରେ ଚଢାଉ କରିଥିଲା । ଏହି ଚଢଉ ସମୟରେ ହିଁ ମମତା ବାନାର୍ଜୀ ଖୋଦ୍ ଫୋର୍ସ ନେଇ ପହଞ୍ଚି ଯାଇଥିଲେ ।
Also read: ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ପିଏମ୍-ରାହତ ଯୋଜନା; ଏଣିକି ଦୁର୍ଘଟଣାରେ କେହି ଆହତ ହେଲେ ଚିକିତ୍ସା ପାଇଁ ସରକାର ଦେବେ ଟଙ୍କା