ଖବର ଓଡିଶା : ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଚିଠିରେ ବଳାତ୍କାର ମାମଲାରେ କଠୋର ଆଇନ କରିବାକୁ ଅପିଲ କରିଛନ୍ତି। କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଟ୍ରେନିଂ ଡାକ୍ତରଙ୍କୁ ହୋଇଥିବା ବଳାତ୍କାର ଓ ଅମାନୁଷିକ ଭାବେ ହତ୍ୟାକୁ ନେଇ ଦେଶବ୍ୟାପୀ ଜନସାଧାରଣଙ୍କ କ୍ରୋଧ ବଢି ଚାଲିଥିବା ବେଳେ ମମତା ଏହି ଚିଠି ଲେଖିଛନ୍ତି।
ଚିଠିରେ ମମତା ଲେଖିଛନ୍ତି ଯେ ବର୍ତ୍ତମାନ ଦେଶରେ ନିୟମିତ ଭାବେ ଦୁଷ୍କର୍ମ ଘଟଣା ବଢ଼ିବାରେ ଲାଗିଛି। କିଛି ଦୁଷ୍କର୍ମ ଘଟଣାରେ ହତ୍ୟା ମଧ୍ୟ କରାଯାଉଛି। ଦେଶରେ ଦୈନିକ ୯୦ଟି ଦୁଷ୍କର୍ମ ଘଟଣା ଅତ୍ୟନ୍ତ ଚିନ୍ତାଜନକ। ଏପରି ଘଟଣା ସମାଜ ଓ ଦେଶର ଭରସା ଓ ଅନ୍ତର ଆତ୍ମାକୁ ଦୋହଲାଇ ଦେଉଛି। ଆମର କର୍ତ୍ତବ୍ୟ ଓ ଦାୟିତ୍ୱ ହେଲା ଏହାକୁ ବନ୍ଦ କରିବା। ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବା। ଏପରି ଗୁରୁତର ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ବ୍ୟାପକ ଢଙ୍ଗରେ ମୁକାବିଲା କରିବା ଉଚିତ। ଏଥିପାଇଁ କେନ୍ଦ୍ରୀୟ ଆଇନରେ ଜଘନ୍ୟକାଣ୍ତ ଘଟାଇଥିବା ବ୍ଯକ୍ତିଙ୍କ ବିରୋଧରେ କଠୋର ଦଣ୍ତବିଧାନର ବ୍ୟବସ୍ଥା କରାଯାଉ। ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଦ୍ୱାରା ମାମଲାର ବିଚାର କରାଯାଇ ତ୍ୱରିତ ନ୍ୟାୟ ପାଇଁ ଆଇନରେ ବ୍ୟବସ୍ଥା ରହୁ। ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟକାଣ୍ଡର ଶୁଣାଣି ୧୫ ଦିନ ମଧ୍ୟରେ ଶେଷ କରିବାକୁ ମମତା ଚିଠିରେ ଦାବି କରିଛନ୍ତି।
ସୂଚନା ଥାଉ କି ବଳାତ୍କାର-ହତ୍ୟା ମାମଲା ଏବଂ ଘଟଣା ଘଟିଥିବା ଆର.ଜି କର ଡାକ୍ତରଖାନାରେ ପରବର୍ତ୍ତୀ ଭଙ୍ଗାରୁଜା ଘଟଣାରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି।କୋଲକାତା ବଳାତ୍କାର ମାମଲାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଡାକ୍ତରଖାନାରେ ରାଜ୍ୟ ସରକାର କିପରି ଭଙ୍ଗାରୁଜା ମାମଲାକୁ ସମ୍ଭାଳି ପାରିବେ ନାହିଁ ତାହା ବୁଝା ପଡୁନାହିଁ। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଏକ ବିଶାଳ ସମାବେଶ କରି ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଏବଂ ପୋଲିସ ସହ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଥିଲେ।