ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ର ଭୋଟ୍ ଗଣତି ପୂର୍ବରୁ ମୁଖ୍ୟମନ୍ତ୍ରୀ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ସମସ୍ତ ଏକଜିଟ୍ ପୋଲରେ ରାଜ୍ୟରେ କଂଗ୍ରେସ ବହୁମତ ସହ ସରକାର ଗଢୁଥିବା ପୂର୍ବାନୁମାନ କରାଯାଇଛି । ଏହା ମଧ୍ୟରେ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗୋଷ୍ଠୀକନ୍ଦଳ ଆରମ୍ଭ ହୋଇ ଯାଇଛି । ହରିୟାଣା କଂଗ୍ରେସରେ ବିଧାୟକ ଦଳ ନେତା ପଦକୁ ନେଇ ଅନେକ ନାମରେ ଚର୍ଚ୍ଚା ଚାଲିଛି । ଏହାକୁ ନେଇ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ଆଶା ପ୍ରକାଶ କରିଛନ୍ତି ଯେ ତାଙ୍କ ପାର୍ଟି ରାଜ୍ୟରେ ପୂର୍ଣ୍ଣ ବହୁମତ ସହ ସରକାର ଗଢିବ । ଏହା ସହିତ ପାର୍ଟି ହାଇକମାଣ୍ଡ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ଥିର କରିବ ।
ତେବେ ମୁଖ୍ୟମନ୍ତ୍ରୀ ପଦ ଦୌଡରେ କୁମାରୀ ଶୈଲଜାଙ୍କ ନାମ ସବୁଠୁ ଆଗରେ ଥିବା କୁହାଯାଉଛି । ଭୂପେନ୍ଦ୍ର କହିଛନ୍ତି, ଶୈଲଜା ଆମର ବରିଷ୍ଠ ନେତା । ଏହା ପୂର୍ବରୁ ୫ ଥରର ସାଂସଦ ଶୈଲଜା ଗୁରୁବାର ସଙ୍କେତ ଦେଇଥିଲେ ଯେ, ମୁଖ୍ୟମନ୍ତ୍ରୀ ପଦ ପାଇଁ ପାର୍ଟି ହାଇକମାଣ୍ଡ ତାଙ୍କ ନାମ ଉପରେ ବିଚାର କରିବାର ସମ୍ଭାବନା ରହିଛି । ପାର୍ଟି ହାଇକମାଣ୍ଡ ଯାହା ବି ନିଷ୍ପତ୍ତି ନେବେ ତା ପୂର୍ବରୁ ବରିଷ୍ଠତା ଓ ପାର୍ଟିରେ ଯୋଗଦାନକୁ ନିଶ୍ଚୟ ଦୃଷ୍ଟି ଦେବେ । ତାଙ୍କର ଏମିତି ବୟାନରୁ ଏହି ସଙ୍କେତ ମିଳୁଛି ଯେ, ଦଳ କୁମାରୀ ଶୈଲଜାଙ୍କ ନାମ ଉପରେ ଗୁରୁତର ଭାବେ ବିଚାର କରୁଛନ୍ତି ।
ଏକଜିଟ୍ ପୋଲ ମୁତାବକ, ୯୦ ସିଟରୁ ୫୦ରୁ ୫୮ ଆସନ କଂଗ୍ରେସ ଜିତିପାରେ । ହରିୟାଣାରେ ବହୁମତ ପାଇଁ ଆବଶ୍ୟକ ୪୬ ସିଟ୍ । ଏଠାରେ ବିଜେପି ହ୍ୟାଟ୍ରିକରୁ ବଞ୍ଚିତ ହେବା ସ୍ପଷ୍ଟ ଲାଗୁଛି । ବିଜେପିକୁ ୨୦ରୁ ୨୮ ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ । ୨୦୧୯ରେ ଦଳ ୪୦ ସିଟ୍ ସହିତ ସବୁଠୁ ବଡ ପାର୍ଟି ହୋଇଥିଲା । ଦଳ ଦୁଷ୍ୟନ୍ତ କୁମାରଙ୍କ ଜେଜେପି ସହ ମିଶି ସରକାର ଗଢିଥିଲା । କିନ୍ତୁ ଏଥର କଂଗ୍ରେସ ୧୦ ବର୍ଷ ଧରି କ୍ଷମତାରେ ଥିବା ବିଜେପିକୁ କ୍ଷମତାଚ୍ୟୁତ କରୁଥିବା ସମସ୍ତ ଏକଜିଟ ପୋଲରେ ଆକଳନ କରାଯାଇଛି ।