ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ୨୦୧୯ରୁ ବନ୍ଦ ହୋଇଯାଇଥିବା ଏୟାରଲାଇନ୍ସ ଜେଟ୍ ଏୟାରୱେଜ ପୁଣି ଥରେ ଆକାଶକୁ ଫେରିବା ସମ୍ଭାବନା ସୃଷ୍ଟି ହୋଇଛି। ଏହାର ନୂଆ ମାଲିକ ଜାଲାନ କାଲ୍ରକ କନ୍ସୋର୍ଟିୟମ୍ କଂପାନିରେ ୧୦୦ କୋଟି ଟଙ୍କା ନିବେଶ କରିଛି। ଆସନ୍ତା ବର୍ଷଠାରୁ ଏୟାରଲାଇନ୍ସର ଉଡ଼ାଣ ପୁଣି ଆରମ୍ଭ ହେବ। ଏୟାରଲାଇନ୍ସର ମାଲିକାନା ହାସଲ କରିବା ଲାଗି ୩୫୦ କୋଟି ଟଙ୍କା ନିବେଶ କରିବାକୁ କନସୋର୍ଟିୟମ୍କୁ କୋର୍ଟ କହିଥିଲେ। ଏବେ ୧୦୦ କୋଟି ଟଙ୍କା ନିବେଶ କରିବା ପରେ କୋର୍ଟଙ୍କ ସେହି ସର୍ଭ ପୂରଣ ହୋଇଛି। ଫଳରେ କଂପାନିକୁ ଏୟାରଲାଇନ୍ସର ପୂର୍ଣ୍ଣ ମାଲିକାନା ମିଳିବାର ପଥ ପ୍ରଶସ୍ତ ହୋଇଛି ।
୨୦୧୯ ଏପ୍ରିଲ୍ରେ ବନ୍ଦ ହେବା ପୂର୍ବରୁ ଜେଟ୍ ଏୟାରୱେଜ ଦେଶବିଦେଶର ୬୫ଟି ସ୍ଥାନକୁ ବିମାନ ସେବା ପ୍ରଦାନ କରୁଥିଲା। କଂପାନି ପାଖରେ ୧୨୪ଟି ବିମାନ ଥିଲା। ତେବେ କଂପାନି ଉପରେ ବିପୁଳ ଋଣ ରହିଥିଲା। ନିଜ ଋଣ ଟଙ୍କା ଫେରିପାଇବା ଲାଗି ଋଣ ପ୍ରଦାନକାରୀମାନେ କଂପାନିକୁ କୋର୍ଟକୁ ଟାଣିଥିଲେ। ନ୍ୟାସନାଲ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍ସିଏଲ୍)ରେ ମାମଲାର ଶୁଣାଣି ହେବା ସହ କଂପାନିକୁ ନିଲାମ କରାଯାଇଥିଲା। ଜାଲାନ କାଲରକ୍ କନ୍ ସୋର୍ଟିୟମ୍ର ବିଡ଼ ବିଜୟୀ ଘୋଷିତ ହୋଇଥିଲା। ଏହି ଘଟଣାକୁ କିଛି ମାସ ବିତିଯାଇଥିଲେ ମଧ୍ୟ କୋର୍ଟଙ୍କ ସର୍ତ୍ତ ପାଳନ କରିପାରୁନଥିବାରୁ ନୂଆ ମାଲିକ ହାତକୁ କଂପାନି ଆସିପାରୁନଥିଲା ।