ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଦିନରେ ପାକିସ୍ତାନ ଭାରତର ବିଭିନ୍ନ ସ୍ଥାନକୁ ଡ୍ରୋନ୍ ଆକ୍ରମଣ କରିଛି । ପଶ୍ଚିମରୁ ନେଇ ଉତ୍ତର ଭାରତର ଅନେକ ସୀମାବର୍ତ୍ତୀ ରାଜ୍ୟ ଯଥା ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ଡ୍ରୋନ୍ ଆକ୍ରମଣ କରିଛି । ଆଜି ମଧ୍ୟ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ବାୟୁ ପ୍ରତିରକ୍ଷା ସିଷ୍ଟମ୍ ଦ୍ୱାରା ସମସ୍ତ ଡ୍ରୋନ୍ ମିସାଇଲକୁ ଅକାମୀ କରିବାରେ ସଫଳ କରାଯାଉଛି । ଏହି ସବୁ ରାଜ୍ୟରେ ସନ୍ଧ୍ୟା ପରଠାରୁ ବିଭିନ୍ନ ସ୍ଥାନରେ ବ୍ଲାକ୍ ଆଉଟ୍ ଘୋଷଣା କରାଯାଇଛି ।
ଶୁକ୍ରବାର ସନ୍ଧ୍ୟା ପରଠାରୁ, ଜମ୍ମୁ କାଶ୍ମୀର ବାରମୁଲା, କୁପୱାଡ଼ା, ଊରୀ, ପୁଞ୍ଚ, ସୋପୋର, ବଡ଼ଗାମ, ଶ୍ରୀନଗର ଏୟାରପୋର୍ଟ ଭଳି ପ୍ରାୟ ୧୫ଟି ସ୍ଥାନରେ ପାକ୍ ଡ୍ରୋନ୍ ଆକ୍ରମଣ ଉଦ୍ୟମ କରିଥିବା ଜଣାପଡ଼ିଛି । ରାଜସ୍ଥାନ ଜୈସଲମେର, ବାରମେଲ ଓ ଯୋଦ୍ଧପୁରରେ ଏବଂ ଗୁଜରାଟର ଭୁଜରେ ଡ୍ରୋନ୍ ଆକ୍ରମଣ କରାଯାଇଛି । ପ୍ରାୟ ୨୬ଟି ସ୍ଥାନକୁ ପାକ୍ ଟାର୍ଗେଟ୍ କରିଛି । ତେବେ ଭାରତ ବର୍ତ୍ତମାନ ସୁଦ୍ଧା ନିଜର ସଂଯମତା ରକ୍ଷା କରି କେବଳ ବିପକ୍ଷ ପାର୍ଶ୍ୱରୁ ଆସୁଥିବା ଟାର୍ଗେଟକୁ ଧ୍ୱଂସ କରୁଛି ।
ଫିରୋଜପୁରରେ ଗୋଟିଏ ପରିବାର ୩ ଆହତ
ଅନ୍ୟପକ୍ଷରେ ପଞ୍ଜାବର ଫିରୋଜପୁର, ଗୁରୁଦାସପୁର କରତାର କରିଡର୍, ଅମୃତସର ଓ ପଠାନକୋଟରେ ମଧ୍ୟ ପାକ୍ ଡ୍ରୋନ୍ ମିଳିଛି । ଫିରୋଜପୁରରେ ଡ୍ରୋନ୍ ଆକ୍ରମଣ ବେଳେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଗୋଟିଏ ପରିବାର ତିନି ଜଣ ସଦସ୍ୟ ଆହତ ହୋଇଛନ୍ତି । ଏ ନେଇ ଫିରୋଜପୁର ଏସଏସପି ଭୂପିନ୍ଦର ସିଂହ ସିଦ୍ଧୁ ସୂଚନା ଦେଇଛନ୍ତି । ଆମେ ୩ ଜଣଙ୍କର ଶରୀର ପୋଡ଼ି ଯାଇଛି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଭାରତୀୟ ସେନା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲା ଯେ ମେ ୮-୯ ରାତିରେ ପାକିସ୍ତାନ ପଶ୍ଚିମ ଭାରତରେ ଥିବା ସାମରିକ ଠିକଣାକୁ ଟାର୍ଗେଟ୍ କରିଛି । ଏତେ ବଡ଼ ଡ୍ରୋନ୍ ଆକ୍ରମଣର ଉଦ୍ଦେଶ୍ୟ ଥିଲା ଯେ ସେମାନେ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଶକ୍ତି ଜାଣିବାକୁ ଚାହୁଁଥିଲେ। ପ୍ରାୟ ୩୬ଟି ସ୍ଥାନ ବାୟୁସେନା ଠିକଣାକୁ ଟାର୍ଗେଟ୍ କରି ୩୦୦ରୁ ୪୦୦ରୁ ଡ୍ରୋନ୍ ଆକ୍ରମଣ କରାଯାଇଛି । ଏହାକୁ ସବୁ ବାୟୁ ପ୍ରତିରକ୍ଷା କାଇନାଟିକ୍ ଓ ନନ୍ କାଇନାଟିକ୍ ଦ୍ୱାରା ନିଷ୍କ୍ରିୟ କରାଯାଇଛି । ସେହିପରି ମେ ୭-୮ ରାତିରେ ପ୍ରାୟ ୧୫ଟି ବାୟୁସେନା ଠିକଣାକୁ ଟାର୍ଗେଟ୍ କରାଯାଇଥିଲା ।