ନୂଆଦିଲ୍ଲୀ: ପାକିସ୍ତାନ ଶୁକ୍ରବାର ପୁଣି ଥରେ ହୀନ କାର୍ଯ୍ୟ ଜାରି ରଖି ଶୁକ୍ରବାର ଭାରତର ୨୦ରୁ ଅଧିକ ସହର ଉପରେ ଡ୍ରୋନ ହମଲା କରିଛି । ଏହି ସବୁ ହମଲାକୁ ଭାରତ ପ୍ରତିହତ କରିବା ସହ ଡ୍ରୋନକୁ ମାରି ତଳେ ଖସାଇ ଦେଇଛି । ଏହା ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ତାଙ୍କ ପାଖରେ ଯୁଦ୍ଧ ବ୍ୟତୀତ ଆଉ କୌଣସି ବିକଳ୍ପ ହିଁ ନାହିଁ । ଏହ ସହ ଭାରତକୁ ଜବାବ ଦିଆଯିବ ବୋଲି ସେ ଧମକ ଦେଇଛନ୍ତି ।
ଆସିଫ ଏକ ନ୍ୟୁଜ ଚ୍ୟାନେଲରେ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଆମ ପାଖରେ ଆଉ କୌଣସି ବିକଳ୍ପ ନାହିଁ । ଆମକୁ ଏହି ପରି ଜବାବ ଦେବାକୁ ପଡିବ । ଆଙ୍କର ପ୍ରଶ୍ନ କରିଥିଲେ ଯେ, କଣ ଯୁଦ୍ଧ ଆମ ଦ୍ୱାର ଦେଶରେ ଆସି ପହଞ୍ଚିଛି କି ? ପାକିସ୍ତାନୀ ମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି, ବିଲକୁଲ, ଏଥିରେ କୌଣସି ସନ୍ଦେହ ନାହିଁ । ଉଲ୍ଲେଖନୀୟ ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଅନେକ ଥର ଭାରତ ଉପରେ ଫମ୍ପା ଧମକ ଦେଇ ଆସିଛି । କେତେ ବେଳେ ଆତଙ୍କୀ ଦେଶ ପରମାଣୁ ବୋମାର କଥା କହୁଥିବା ବେଳେ କେତେବେଳେ ପୁଣି ଯୁଦ୍ଧର କଥା କହୁଛି ।
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଅନେକ ଥର ଦୁନିଆ ସାମ୍ନାରେ ପରିହାସର ପାତ୍ର ପାଲଟି ସାରିଛନ୍ତି । ଶୁକ୍ରବାର ସେ ଅଜବ ତର୍କ ଦେଇ କହିଥିଲେ ଯେ, ପାକିସ୍ତାନ ଜାଣିଶୁଣି ଭାରତର ଡ୍ରୋନକୁ ଅଟକାଇ ନ ଥିଲା, ଯଦ୍ୱାରା ଆମ ସୈନ୍ୟ ସଂପତ୍ତିର ସଠିକ ସ୍ଥାନର ଖୁଲାସା ନ ହେବ । ଖ୍ୱାଜା ମହମ୍ମଦ ଆସିଫ କହିଛନ୍ତି, ଗତକାଲି ଯେଉଁ ଡ୍ରୋନ ଆକ୍ରମଣ ହୋଇଥିଲା, ତାହା ସାଧାରଣତଃ ଆମର ଲୋକେସନ ଜାଣିବା ପାଇଁ କରାଯାଇଥିଲା । ଏଥିପାଇଁ ଭାରତର ଡ୍ରୋନକୁ ରୋକା ଯାଇ ନ ଥିଲା ।