ୱାଶିଂଟନ: ଇସ୍ରାଏଲ ଉପରେ ବଡ଼ଧରଣର ଆକ୍ରମଣ ପାଇଁ ଇରାନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ରବିବାର ଦିନ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନଙ୍କ ସହ କଥା ହୋଇଥିଲେ। ସେ କହିଛନ୍ତି ଯେ ଇରାନର ସାମରିକ ପ୍ରସ୍ତୁତି ଦର୍ଶାଉଛି ଯେ ସେ ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି।
ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ବିଶ୍ୱାସ କରୁଛି ଯେ ଇରାନ ସିଧାସଳଖ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି। କିଛି ଦିନ ମଧ୍ୟରେ ଇରାନ ଆକ୍ରମଣ କରିପାରେ। ଗୁରୁବାର ହେବାକୁ ଥିବା ଗାଜା ବନ୍ଦୀ ଏବଂ ଅସ୍ତ୍ରବିରତି ରାଜିନାମା ଉପରେ ଆଲୋଚନା ପୂର୍ବରୁ ଏହି ଆକ୍ରମଣ ହୋଇପାରେ ବୋଲି କୁହାଯାଉଛି। ହାମାସ ଆଲୋଚନାରେ ସାମିଲ ହେବାକୁ ମନା କରିଦେଇଛି।
ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ବିଶ୍ୱାସ କରୁଛି ଯେ ହିଜବୁଲ୍ଲା ତା'ର ଶୀର୍ଷ କମାଣ୍ଡରଙ୍କ ପ୍ରତିଶୋଧ ନେବା ପାଇଁ ପ୍ରଥମେ ଆକ୍ରମଣ କରିପାରେ। ଏହାପରେ ଇରାନ ମଧ୍ୟ ଏହି ଆକ୍ରମଣରେ ସାମିଲ ହୋଇପାରେ। ଅନ୍ୟପକ୍ଷରେ ବଡ଼ଧରଣର ଆକ୍ରମଣ ପାଇଁ ଇରାନ୍ ରିଭୋଲ୍ୟୁସନରୀ ଗାର୍ଡ କର୍ପସ୍ ଉପରେ ଚାପ ବଢ଼ିବାରେ ଲାଗିଛି।
ରିପୋର୍ଟ ଅନୁସାରେ ଏପ୍ରିଲ ୧୩ ତୁଳନାରେ ଏଥର ଇରାନ ବଡ଼ ଆକ୍ରମଣ କରିପାରେ। ହିଜବୁଲ୍ଲା ଓ ଇରାନ୍ ମଧ୍ୟ ଇସ୍ରାଏଲର ସାମରିକ ଟାର୍ଗେଟ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଜରିଆରେ ଆକ୍ରମଣ କରିପାରିବେ। ଅନ୍ୟପକ୍ଷରେ ଆମେରିକା କୂଟନୈତିକ ବାଜି ଲଗାଇବା ଆରମ୍ଭ କରିଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ କହିଛନ୍ତି ଯେ ଇରାନ ଓ ହିଜବୁଲ୍ଲା ଆମକୁ ବ୍ୟାପକ କ୍ଷୟକ୍ଷତି ନେଇ ଚେତାବନୀ ଦେଇଛନ୍ତି। କିନ୍ତୁ ଆଶା କରାଯାଉଛି, ସେମାନେ ପୁନର୍ବିଚାର କରିବେ ଏବଂ ଯୁଦ୍ଧକୁ ଜୋରଦାର କରିବେ ନାହିଁ। ଆମେ ତାହା ଚାହୁଁନାହୁଁ।