ନୂଆଦିଲ୍ଲୀ: ଗୋଟିଏ ପଟେ ଆମେରିକା ଚୀନ ଉପରେ ୧୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇ ଟ୍ରେଡ ଓ୍ଵାରକୁ ଚରମରେ ପହଞ୍ଚାଇଛନ୍ତି। ଅନ୍ୟପଟେ ବିଶ୍ଵର ୭୫ ଦେଶ ଉପରେ ୯୦ ଦିନର ରିହାତି ଦେଇଛନ୍ତି। ଆମେରିକା ପକ୍ଷରୁ ମିଳିଥିବା ଏମିତି ସୁଯୋଗର ଫାଇଦା ଉଠାଇବାକୁ ଅଣ୍ଟା ଭିଡ଼ିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବଡ଼ ନିଷ୍ପତ୍ତି ପରେ ଭାରତ ଆମେରିକା ସହିତ କାରବାର ରାଜିନାମାକୁ ନେଇ କୌଣସି ପ୍ରକାରର ବିଳମ୍ବ କରିବାକୁ ଚାହୁଁନି।
ଭାରତ ଓ ଆମେରିକା ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ବାଣିଜ୍ୟ ଚୁକ୍ତିନାମାକୁ ଅନ୍ତିମ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତ ଏହି ଡିଲ୍କୁ ଶୀଘ୍ର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇବାକୁ ଚାହୁଁଛି। ଯାହା ଫଳରେ ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ କାରବାର ୫୦୦ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚି ପାରିବ।
କୂଟନୀତି ଚାଲ୍ ଖେଳିଲା ଭାରତ
ଜୈନକ ଅଧକାରୀ କହିଛନ୍ତି, ଭାରତ ହେଉଛି ପ୍ରଥମ ଦେଶ ଯିଏ ଆମେରିକା ସହ ଆଲୋଚନା ଆରମ୍ଭ କରି ନିର୍ଦ୍ଧାରିତ ସୀମା ମଧ୍ୟରେ ସହମତି ସୃଷ୍ଟି କରି ପାରିଛି। କିନ୍ତୁ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅଦ୍ୟାବଧି ଏହା ଉପରେ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇ ନାହିଁ। ଏହା ମଧ୍ୟ ଦୁଇ ଦେଶ ସ୍ପଷ୍ଟ କରିଛନ୍ତି ଯେ, ଭାରତ ଓ ଆମେରିକାର ଉତ୍ପାଦ ବର୍ଷ ବର୍ଷ ଧରି ଚୀନର ଅନୁଚିତ ବ୍ୟବସାୟ ନୀତିରେ ପ୍ରଭାବିତ ହୋଇ ଆସିଛନ୍ତି। ଏବେ ଆମେରିକା ଭାରତ ଉପରେ ଟାରିଫକୁ ୧୦ ପ୍ରତିଶତରେ ରଖିଥିବା ବେଳେ ଚୀନ ଉପରେ ଏହି ଦର ୧୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି।