ନୂଆଦିଲ୍ଲୀ: ଦୁଷ୍କର୍ମକାରୀକୁ କଙ୍ଗାରୁ କୋର୍ଟରେ ଦଣ୍ଡ । ବଳାକାରୀ ଅଭିଯୁକ୍ତ ଉଲଗ୍ନ କରି ଶଗଡ଼ ଗାଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ବୁଲାଇଛନ୍ତି ଜନତା । ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ବହରାଇଚର ବିଶେଶ୍ୱରଗଂଜ ଅଞ୍ଚଳରେ । ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରାଯାଇଛି ।
ଭିଡ଼ିଓରେ ଦର୍ଶାଯାଇଛି ଯେ ଜଣେ ୨୨ ବର୍ଷର ଯୁବକ ଯିଏ ଦୁଷ୍କର୍ମ ମାମଲାରେ ଜଡ଼ିତ ଅଛି, ତାକୁ ଗ୍ରାମବାସୀ ଉଲଗ୍ନ କରି ଏକ ବଳଦ ଗାଡ଼ିରେ ବାନ୍ଧି ଗାଁରେ ଶୋଭାଯାତ୍ରାରେ ବୁଲାଇଛନ୍ତି । କିଛି ଲୋକ ସମ୍ପୃକ୍ତ ଯୁବକଙ୍କୁ କୁକୁର ଲଗାଇ ଆକ୍ରମଣ କରିବାକୁ ଉସକାଉଥିବା ଭିଡ଼ିଓରେ ଶୁଣିବାକୁ ମିଳିଛି । ଏମିତିକି ତାକୁ ନିସ୍ତୁକ ମାଡ଼ ମାରିଛନ୍ତି । ଗୁରୁବାର ଏହି ଭିଡ଼ିଓ ସ୍ଥାନୀୟ ଅଞ୍ଚଳରେ ବେଶ ଭାଇରାଲ୍ ହୋଇଛି । ପୀଡ଼ିତ ଯୁବକଙ୍କ ପରିବାର ଲୋକ ସ୍ଥାନୀୟ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଲୋକମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ପୋଲିସ ଅଧିକାରୀ ରମେଶ ପାଣ୍ଡେ ସୂଚନା ଦେଇଛନ୍ତି । ତେବେ ଏହି ଘଟଣା ଏପ୍ରିଲ ୩ ତାରିଖର ହୋଇଥିବାବେଳେ ଭିଡ଼ିଓ ଗତକାଲି ଭାଇରାଲ ହୋଇଛି । ପରିବାର ଲୋକେ ତାର ଚିକିତ୍ସା କରାଇବା ପରେ ଏହି ଭିଡ଼ିଓ ଦେଖିଛନ୍ତି ବୋଲି କହିଛନ୍ତି ।
ଅତିରିକ୍ତ ପୋଲିସ ଏସପି ରାମାନନ୍ଦ ପ୍ରସାଦ କୁଶୱାହା କହିଛନ୍ତି, ସମ୍ପୃକ୍ତ ଯୁବକ ସେହି ଗ୍ରାମର ଜଣେ ଦଳିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏପ୍ରିଲ ମାସ ଆରମ୍ଭରୁ ଏହି ଘଟଣା ଘଟିଥିଲା । ମାତ୍ର ଅଭିଯୋଗ ବହୁ ବିଳମ୍ବରେ ହୋଇଥିଲା । କିନ୍ତୁ ଅଭିଯୋଗ ପରଠାରୁ ସମ୍ପୃକ୍ତ ଯୁବକ ଫେରାର ଅଛି । ପୋଲିସ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।