ଗତକାଲି ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱନେତା ଓ ଅତିଥିଙ୍କୁ ନୈଶ୍ୟଭୋଜିରେ ଆପ୍ୟାୟିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭବ୍ୟ ନୈଶ୍ୟଭୋଜିରେ ପାରମ୍ପରିକ ଭାରତୀୟ ଖାଦ୍ୟର ଆନନ୍ଦ ନେଇଛନ୍ତି ବିଶ୍ୱନେତା ଓ ଆମନ୍ତ୍ରିତ ଅତିଥି । ଭାରତୀୟ ପରମ୍ପରା, ରୀତିନୀତିକୁ ରାଷ୍ଟ୍ରପତିଙ୍କ ଏହି ଭବ୍ୟ ନୈଶ୍ୟ ଭୋଜିରେ ବିଶେଷ ଗୁରୁତ୍ୱ ଦିଆ ଯାଇଥିଲା । ବିଶ୍ୱନେତା ଓ ପ୍ରତିନିଧିମାନଙ୍କୁ ନିଆରା ଭାରତୀୟ ଖାଦ୍ୟ ପରିବେଷଣ କରାଯାଇଛି । ମେନୁରେ ଥିଲା ୫୦୦ ପ୍ରକାରର ସୁସ୍ୱାଦୁ ଖାଦ୍ୟ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉପସ୍ଥିତ ରହି ମିଳିତ ଭାବେ ଏହି ନୈଶ୍ୟ ଭୋଜିକୁ ସମସ୍ତ ରାଷ୍ଟ୍ରନେତାଙ୍କୁ ସ୍ୱାଗତ କରିଥିଲେ ।
ତେବେ ଭାରତ ମଣ୍ଡପମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ଦେଖିବାକୁ ମିଳିଛି ଆଉ ଏକ ଝଲକ । ଆୟୋଜିତ ରାତ୍ରୀ ଭୋଜନରେ ଜାପାନ ଓ ମରିଶସ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଶାଢି ପରିଧାନକରିଥିବା ଦେଖିବାକୁ ମିଳିଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାବ୍ୟତୀତ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷଙ୍କ ପତ୍ନୀଙ୍କୁ ମଧ୍ୟ ଶାଢିରେ ଦେଖିବାକୁ ମିଳିଥିଲା । ଏହି ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଜାପାନ୍ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ପତ୍ନୀ ୟୁକୋ କିଶିଦାଙ୍କ ସହ ଭାରତ ଆସିଛନ୍ତି । ୟୁକୋ କିଶିଦା ଶିକ୍ଷା , ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ରାଷ୍ଟ୍ରପତିଙ୍କ ରାତ୍ରୀ ଭୋଜନ କାର୍ଯ୍ୟକ୍ରମରେ ତାଙ୍କର ଶାଢି ପରିଧାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଶାଢି ହେଉଛି ଭାରତୀୟ ମହିଳାଙ୍କ ପାରମ୍ପରିକ ପରିଧାନ । ଏହି ଦୃଶ୍ୟ ଦେଖିବା ପରେ ଭାରତୀୟ ପରମ୍ପରା ଯେ ବିଦେଶୀ ରାଷ୍ଟ୍ରନେତାଙ୍କୁ କେତେ ପ୍ରଭାବିତ କରୁଛି ତାହା ସ୍ପଷ୍ଟ ବାରି ହୋଇପଡୁଛି ।
ସେହିପରି ମରିଶସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ମଧ୍ୟ ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ପତ୍ନୀ କବିତା ରାମଦାନୀଙ୍କ ସହ ଭାରତ ଆସିଛନ୍ତି । ଭାରତ ମଣ୍ଡପମରେ ରାଷ୍ଟ୍ରପତିଙ୍କ ଡିନରରେ କବିତା ରାମଦାନୀଙ୍କୁ ମଧ୍ୟ ଶାଢିରେ ଦେଖିବାକୁ ମିଳିଥିଲା । ଏହାସହ ଜି-୨୦ରେ ଭାଗ ନେବାକୁ ଭାରତ ଆସିଛନ୍ତି ବିଶ୍ୱ ବ୍ୟାଙ୍କ ଓ ଡବ୍ଲୁଏଚଓ ପରି ବୈଶ୍ୱିକ ସଂସ୍ଥାର ପ୍ରତିନିଧି । ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା ଓ ତାଙ୍କ ପତ୍ନୀ ରିତୁ ବଙ୍ଗା ଙ୍କୁ ଭାରତ ମଣ୍ଡପମରେ ଦେଖିବାକୁ ମିଳିଥିଲା । ରିତୁ ବଙ୍ଗା ମଧ୍ୟ ଶାଢି ପରିଧାନରେ ଥିଲେ । ଏହାସହ ଆଇଏମଏଫର ପ୍ରଥମ ମହିଳା ଡେପୁଟି ମ୍ୟାନେଜିଙ୍ଗ ଡାଇରେକ୍ଟର ଜୀତା ଗୋପୀନାଥଙ୍କୁ ମଧ୍ୟ ଶାଢୀରେ ଦେଖିବାକୁ ମିଳିଥିବାବେଳେ ଆଇଏମଏଫ୍ର ମ୍ୟାନେଜିଙ୍ଗ ଡାଇରେକ୍ଟର କ୍ରିଷ୍ଟିନାଙ୍କୁ ସାଲୱାର ସୁଟରେ ଦେଖିବାକୁ ମିଳିଥିଲା ।