ଭାରତର ରାଜଧାନୀ ନୂଆ ଦିଲ୍ଲୀରେ ଆରମ୍ଭ ହେଇଯାଇଛି ଜି-୨୦ ଶିଖର ସମ୍ମିଳନୀ । ଏହି ଜି-୨୦ ସମ୍ମିଳନୀରେ ଭାରତକୁ ବିଶ୍ଵ ନେତାମାନେ ଆସିଛନ୍ତି । ଏହି ସମ୍ମିଳନୀରୁ ଅବସର ନେଇ ଅକ୍ଷରଧାମ ମନ୍ଦିରରେ ସ୍ୱାମୀ ନାରାୟଣଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ସୂଚନା ଅନୁସାରେ, ରବିବାର ବ୍ରିଟେନର ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀ ଅକ୍ଷରଧାମ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିରରେ ପହଞ୍ଚି ସ୍ୱାମୀ ନାରାୟଣଙ୍କୁ ପୂଜା ଓ ଆଳତି କରିବା ସହିତ ମନ୍ଦିରରେ କିଛି ସମୟ ଅତିବାହିତ କରିଥିଲେ । ପ୍ରଧାନମନ୍ତ୍ରୀ ସୁନକଙ୍କ ପତ୍ନୀ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିବା ପରେ ତାଙ୍କୁ ବହୁତ ଖୁସି ଲାଗିଲା ବୋଲି ସେ ବ୍ୟକ୍ତ କରିଛନ୍ତି ।
ଇଂଲଣ୍ଡରେ ଆୟୋଜିତ ମୋରାରୀ ବାପୁଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଋଷି ସୁନକ ମନ୍ଦିରରେ ପହଞ୍ଚି ସ୍ୱାମୀ ନାରାୟଣଙ୍କ ଦର୍ଶନ କରି ରାମାୟଣର ଆରତୀ କରିଥିଲେ ।ଏହାରି ମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ହିନ୍ଦୁ ଧର୍ମ ତାଙ୍କ ଜୀବନର ପ୍ରତ୍ୟେକ ଦିଗରେ ମାର୍ଗ ଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ଭାବରେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ମଧ୍ୟ ସାହସ ଓ ଶକ୍ତି ଦେଇଥାଏ । ବ୍ରିଟିଶ ପ୍ରଧାନମନ୍ତ୍ରୀ ଜୟ ଶ୍ରୀ ରାମର ଜୟକାର ସହିତ ସମ୍ବୋଧନ କରିଥିଲେ । ସମ୍ବୋଧନ କରିସାରିବା ପରେ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଥିଲେ, ମୁଁ ମନ୍ଦିରକୁ ଏକ ହିନ୍ଦୁ ଭାବରେ ଆସିଛି । ମୋ ପାଇଁ ଧର୍ମ ଏକ ବ୍ୟକ୍ତିଗତ ମାମଲା ଅଟେ । ପ୍ରଧାନମନ୍ତ୍ରୀ ପଦବୀରେ ରହିବା ଏକ ବଡ଼ ସମ୍ମାନର କଥା କିନ୍ତୁ ଏହା ପାଇବା ସହଜ ନୁହେଁ ଏହି ପଦବୀକୁ ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଋଷି ସୁନକ ଓ ତାଙ୍କ ପତ୍ନୀଙ୍କୁ ଏକ ମନ୍ଦିର ପ୍ରତିକୃତି ଉପହାର ସୂରୁପ ଦିଆଯାଇଛି । ମନ୍ଦିର ଭିତରେ ଏବଂ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବୋଲି ପୋଲିସ ଅଧିକାରୀ କହିଥିଲେ ।
ଆଗକୁ ପଢ଼ନ୍ତୁ : ଆଜି ହେଉଛି ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀର ଦ୍ୱିତୀୟ ଦିନ