ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନା ମେ ୭ ଓ ମେ ୮ ତାରିଖ ପାକିସ୍ତାନ ସଂଲଗ୍ନ ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ବଡ଼ ସମରାଭ୍ୟାସ୍ କରିବାକୁ ଯାଉଛି। ଏହି ଯୁଦ୍ଧାଭ୍ୟାସ୍ ବିଶେଷ କରି ରାଜସ୍ଥାନର ସେହି ଅଞ୍ଚଳରେ ହେବ ଯାହା ଦକ୍ଷିଣ ପଶ୍ଚିମ ଏୟାର କମାଣ୍ଡ ଅଧିନରେ ରହିଛି।
ଏହି ଯୁଦ୍ଧାଭ୍ୟାସକୁ ନେଇ ‘ନୋଟିସ୍ ଟୁ ଏୟାରମ୍ୟାନ’(ଘଙଞଇଗ) ମଧ୍ୟ ଜାରି କରାଯାଇଛି। ଘଙଞଇଗ ଏକ ସରକାରୀ ଚେତାବନୀ। ଯେଉଁଥିରେ ସମ୍ବନ୍ଧିତ କ୍ଷେତ୍ରରେ ବାୟୁ ଯାତାୟତକୁ ସତର୍କ କରାଯାଏ ଯେ, ଯେଉଁଠି ସୈନ୍ୟ ଗତିବିଧି ଜାରି ରହିଛି। ଏଥିରୁ ଏହା ସ୍ପଷ୍ଟ ଯେ, ଅଭ୍ୟାସ ସମୟରେ ଲଢୁଆ ବିମାନର ଗତିବିଧି ବହୁତ ଅଧିକ ରହିବ। ଏହି ଯୁଦ୍ଧାଭ୍ୟାସ ଏମିତି ସମୟରେ ହେଉଛି, ଯେତେବେଳେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ବିନା କାରଣରେ ଫାୟରିଂ କରୁଚି। ଜମ୍ମୁ-କାଶ୍ମୀରର କୁପଓ୍ଵାଡ଼ା, ବାରାମୂଲା, ପୁଞ୍ଚ, ରାଜୌରୀ ଓ ଜମ୍ମୁ ପରି ଜିଲ୍ଲାରେ ଲଗାତାର ଫାୟରିଂ କରୁଛି। ତେବେ ପହଲଗାମରେ ଏପ୍ରିଲ ୨୨ରେ ଆତଙ୍କୀ ହମଲା ପରେ ସ୍ଥିତି ଆହୁରି ବିଗିଡ଼ିଛି। କାର୍ୟ୍ୟାନୁଷ୍ଠାନ ସ୍ଵରୂପ ଭାରତ ସିନ୍ଧୁ ଜଳ ଚୁକ୍ତି ବାତିଲ କରିଛି।
ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ୨୦୧୯ ପୁଲୱାମା ଆକ୍ରମଣ ପରେ ଏହା ଭାରତରେ ସବୁଠାରୁ ଭୟାନକ ଆତଙ୍କବାଦୀ ଘଟଣା ଥିଲା । ଏହା ପରେ ଏପ୍ରିଲ ୨୪ ତାରିଖଠୁ ପାକିସ୍ତାନ ଲଗାତାର ଏଲଓସିର ଅଲଗା ଅଲଗା ସେକ୍ଟରରେ ଭାରତୀୟ ସେନାକୁ ଟାର୍ଗେଟ୍ କରି ଚାଲିଛି । ଆଉ ଭାରତୀୟ ଯବାନ ଏହାର ମୁହଁତୋଡ ଜବାବ ଦେଉଛନ୍ତି । ପାକିସ୍ତାନ ସେନା ନିଜ ହୀନ ଉଦ୍ଦେଶ୍ୟରୁ ନିବୃତ୍ତ ନହେବାରୁ ଭାରତୀୟ ବାୟୁସେନା ଯୁଦ୍ଧାଭ୍ୟାସ କରି ତାରି ଭାଷାରେ ଜବାବ ଦେବାକୁ ପ୍ରସ୍ତୁତି ଚଳାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ୩,୩୨୮ କିଲୋମିଟରର ଲମ୍ବା ସୀମା ରହିଛି । ଏଥିରେ ଅନ୍ତର୍ଜାତୀୟ ସୀମା ରେଖା, ଏଲଓସି ଓ ସିୟାଚେନ ସାମିଲ ।