ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାର ବଦଲା ନେଇଛି ଭାରତ । ମଙ୍ଗଳବାର ଅଧ ରାତିରେ ଅପରେସନ ସିନ୍ଦୂର ଆଧାରରେ ପାକିସ୍ତାନ ଓ ପିଓକେ ସ୍ଥିତ ୯ଟି ଆତଙ୍କୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଛି ଭାରତ । ଭାରତର ଏହି ହମଲା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଗତ କିଛି ଦିନ ଧରି ଏମିତି ଉତ୍ତେଜନାମୂଳକ ସ୍ଥିତି ଲଗାତାର ଜାରି ରହିଥିଲା । ଲୋକଙ୍କୁ ଜଣା ଥିଲା ଯେ, କିଛି ବଡ ହେବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଶୀଘ୍ର ସମାପ୍ତ ହେବା ଉଚିତ୍ ବୋଲି ଟ୍ରମ୍ପ କହିଛନ୍ତି ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ପ୍ରକାଶ କରି ପରିସ୍ଥିତିକୁ "ଲଜ୍ଜାଜନକ" ବୋଲି ଦର୍ଶାଇଛନ୍ତି । ଉଭୟ ଦେଶକୁ ଉତ୍ତେଜନା ହ୍ରାସ କରିବାକୁ ଅନୁରୋଧ କରିଛନ୍ତି। ଟ୍ରମ୍ପ ଅପରେସନ ସିନ୍ଦୂର ବିଷୟରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଏହା ଲଜ୍ଜାଜନକ କଥା । ମୁଁ ଏବେ ଏବେ ଘଟଣା ବିଷୟରେ ଶୁଣିଲି । ଦୀର୍ଘ ସମୟ ଧରି ଉଭୟ ଦେଶ ପରସ୍ପର ବିରୋଧରେ ଲଢୁଛନ୍ତି । ମୁଁ ବାସ୍ ଆଶା କରୁଛି ଏହା ବହୁତ ଜଲଦି ସମାପ୍ତ ହେଉ ।
ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ଦୁଇ ଶକ୍ତିଶାଳୀ ଦେଶକୁ ଏହି ମାର୍ଗରେ ଯିବା ଦେଖିବାକୁ କେହି ଚାହୁଁ ନାହାନ୍ତି । ଭାରତ ଓ ପାକିସ୍ତାନ ହେଉଛି ଏମିତି ଦେଶ, ଯାହାଙ୍କ ଲମ୍ବା ଇତିହାସ ରହିଛି । ଉଭୟଙ୍କ ମଧ୍ୟରେ ଗଭୀର ଉତ୍ତେଜନା ଓ ତିକ୍ତତା ଭରି ରହିଛି । କିନ୍ତୁ ଦୁନିଆକୁ ଶାନ୍ତିର ଆବଶ୍ୟକତା ରହିଛି, ସଂଘର୍ଷ ନୁହେଁ । ଏହି ହମଲା ପରେ ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା କାର୍ଯ୍ୟାଳୟ ତରଫରୁ ଆମେରିକାକୁ ଅବଗତ କରାଯାଇଛି ।
ସୂଚନାଯୋଗ୍ୟ, ପହଲଗାମ ଆତଙ୍କୀ ହମଲାର ବଦଲା ନେଇ ମଙ୍ଗଳବାର ମଧ୍ୟରାତ୍ର ପରେ ପିଓକେର ମୁଜଫରାବାଦ ସହର ଓ ଏହାର ଆଖପାଖ ପାହାଡିଆ ଅଞ୍ଚଳରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିଛି । ଆତଙ୍କବାଦୀଙ୍କ ୯ଟି ଶିବିର ଉପରେ ଏୟାର ଷ୍ଟ୍ରାଇକ କରି ଉଡାଇ ଦେଇଛି । ଭାରତୀୟ ସେନା ଏକ୍ସରେ ପୋଷ୍ଟ କରି ‘ଅପରେସନ ସିନ୍ଦୂର’ର ସୂଚନା ଦେବା ସହ ଲେଖିଛନ୍ତି ନ୍ୟାୟ ହୋଇଛି । ଜୟ ହିନ୍ଦ ।