ନୂଆଦିଲ୍ଲୀ: ପୂର୍ବରୁ ଯେଉଁ ପାଣି ଦେଶ ବାହାରକୁ ଚାଲି ଯାଉଥିଲା, ଏବେ ଏହା ଏହାକୁ ରୋକାଯିବ ଏବଂ ଦେଶର ଆବଶ୍ୟକ ଅନୁରୂପ ବ୍ୟବହାର କରାଯିବ ।ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନ ସହ ଜାରି ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଲବାର ଜଳ ସଂରକ୍ଷଣକୁ ନେଇ ବଡ ବୟାନ ଦେଇଛନ୍ତି । ପିଏମ ମୋଦୀ କହିଛନ୍ତି, ଯେଉଁ ପାଣି ଭାରତର ଏବେ ଏହା ଭାରତର କାମରେ ଆସିବ ।
ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ସମୟରେ ଏହି ବୟାନ ଦେଇଛନ୍ତି । ତେବେ ସେ ବିସ୍ତୃତ ସୂଚନା ଦେଇ ନାହାନ୍ତି ଯେ, ଏହି ପାଣି କେଉଁ ଦିଗରେ, କେଉଁ ଦେଶକୁ ପ୍ରବାହିତ ହେଉଥିଲା ଏବଂ ଏହାକୁ ରୋକିବା ପାଇଁ କେଉଁ ପଦକ୍ଷେପ ଉଠାଯିବ । ତେବେ ପାକିସ୍ତାନ ସହ ଜାରି ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ କଡା ସନ୍ଦେଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ସରକାର ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରାଯିବାର କିଛି ଦିନ ପରେ ଆସିଛି । ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ୧୯୬୦ ମସିହାରେ ପାକିସ୍ତାନ ସହ ଏହାକୁ ହସ୍ତାକ୍ଷର କରାଯାଇଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହାକୁ ବାତିଲ କରାଯାଇଥିଲା । ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ୟ୍ୟଟକଙ୍କୁ ଆତଙ୍କୀମାନେ ଧର୍ମ ପଚାରି ହତ୍ୟା କରିଥିଲେ ।
ପହଲଗାମ ଆତଙ୍କୀ ହମଲା ପରେ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି ବାତିଲ କରିଛି । ଏହି ନିଷ୍ପତ୍ତିରେ ପଡୋଶୀ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଏବେ ପାକିସ୍ତାନର ସମସ୍ୟାକୁ ଆହୁରି ବଢାଇବା ପାଇଁ ଭାରତ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇ ଯାଇଛି । ସିନ୍ଧୁ ଜଳ ଚୁକ୍ତି ବାତିଲ ହେବା ପରେ ଭାରତ ସରକାର ଡ୍ୟାମ ଓ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବାର ପଥ ପରିଷ୍କାର ହୋଇଛି । ଏହା ମଧ୍ୟରେ ସରକାର ସମ୍ବନ୍ଧିତ ମନ୍ତ୍ରଣାଳୟ ଓ ବିଭାଗ ସହିତ ବୈଠକ କରିଛନ୍ତି । ଜମ୍ମୁ-କାଶ୍ମୀର ଓ ଲଦାଖରେ ଯେଉଁ ହାଇଡଲ ପ୍ରଜେକ୍ଟ ରହିଛି ତାର କାମ ଦ୍ରୁତ ଗତିରେ ତ୍ୱରାନିତ କରାଯାଉ । ଏହା ବାଦ୍ ଅନେକ ଏମିତି ପ୍ରକଳ୍ପ ନିର୍ମାଣ କରାଯିବ, ଯାହା ଉପରେ ସରକାର ବିଚାର ବିମର୍ଶ ଚଳାଇଛନ୍ତି ।
ସରକାର ରିପୋର୍ଟ ମାଗିଛନ୍ତି ଯେ, ଏମିତି କେଉଁ ପ୍ରକଳ୍ପ ରହିଛି, ଯାହା ଶୀଘ୍ର କାମ ସରି ପାରିବ । ସଂପ୍ରତି ସରକାର ୧୦ ନୂଆ ପ୍ରକଳ୍ପକୁ ସର୍ଟଲିଷ୍ଟ କରିଛନ୍ତି ଏବଂ ଏହାର ବିସ୍ତୃତ ସମୀକ୍ଷା ଓ ଅଧ୍ୟୟନ କରାଯାଉଛି । ଏଥିରୁ ୫ ପ୍ରକଳ୍ପକୁ ପୂର୍ବରୁ ମଞ୍ଜୁରୀ ମିଳି ସାରିଛି । କେବଳ ଏତିକି ନୁହେଁ ଦୁଇଟି ପ୍ରଜେକ୍ଟ ପାଇଁ ଶୀଘ୍ର ଟେଣ୍ଡର ଜାରି କରିବାକୁ ପ୍ରସ୍ତୁତି ଚାଲିଛି ।