ନୂଆଦିଲ୍ଲ୍ୀ: ଗତ କିଛି ମାସର ସମ୍ବନ୍ଧରେ ତିକ୍ତତା ପରେ ଭାରତ ଓ ଆମେରିକା ସଂପର୍କ ପୁଣି ଥରେ ଟ୍ରାକକୁ ଫେରୁଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ସମୟରେ ପିଏମ ମୋଦୀ ଟ୍ରମ୍ପଙ୍କୁ ଗାଜାରେ ଶାନ୍ତି ପ୍ରସ୍ତାବ ପାଇଁ ହୋଇଥିବା ଯୋଜନାର ସଫଳ ନେଇ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ସେ ଭାରତ ଓ ଆମେରିକା ମଧ୍ୟରେ ଟ୍ରେଡ ଡିଲକୁ ନେଇ ଚାଲିଥିବା ଆଲୋଚନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଗୁରୁବାର ସନ୍ଧ୍ୟାରେ ଏକ୍ସରେ ଏକ ପୋଷ୍ଟ କରି ଜଣାଇଛନ୍ତି ଯେ, ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିଛନ୍ତି ଏବଂ ତାଙ୍କୁ ଗାଜାରେ ଐତିହାସିକ ଯୋଜନାର ସଫଳ ନେଇ ଶୁଭେଚ୍ଛା ଜଣାଇଛନ୍ତି । ପିଏମ ମୋଦୀ ଲେଖିଛନ୍ତି, ନିଜର ମିତ୍ର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇ ଐତିହାସିକ ଗାଜା ଶାନ୍ତି ଯୋଜନାର ସଫଳତା ନେଇ ଅଭିନନ୍ଦନ ଜଣାଇଛି । ବାଣିଜ୍ୟିକ ଚୁକ୍ତିକୁ ନେଇ ହାସଲ ହୋଇଥିବା ନୂତନ ପ୍ରଗତିର ମଧ୍ୟ ସମୀକ୍ଷା କଲୁ । ଆଗାମୀ ଦିନରେ ଯୋଗାଯୋଗରେ ରହିବା ଉପରେ ଦୁଇ ନେତା ସହମତି ହୋଇଛନ୍ତି ।
ପିଏମ ମୋଦୀ ଏହା ମଧ୍ୟ କହିଛନ୍ତି, ନେତନ୍ୟାହୁଙ୍କ ମଜବୁତ ନେତୃତ୍ୱର ମଧ୍ୟ ପ୍ରଶଂସା କରିଛନ୍ତି । ଆମେ ଆଶା କରୁଛୁ ଯେ, ବନ୍ଧକଙ୍କ ମୁକ୍ତି ଏବଂ ଗାଜାବାସୀଙ୍କୁ ମାନବୀୟ ସହାୟତା ପ୍ରଦାନ କରିବାରେ ଏହା ବେଶ ଫଳପ୍ରଦ ହେବ । ସ୍ଥାୟୀ ଶାନ୍ତି ପାଇଁ ମାର୍ଗ ପ୍ରଶସ୍ତ ହେବ । ଏହା ପୂର୍ବରୁ ଟ୍ରମ୍ପ ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଏକ ଚୁକ୍ତିନାମା ଆଧାରରେ ଇସ୍ରାଏଲ ଓ ହମାସ ଗାଜାରେ ଚାଲିଥିବା ଭୀଷଣ ଯୁଦ୍ଧକୁ ରୋକିବା ଏବଂ କିଛି ବନ୍ଧକ, କଏଦୀଙ୍କୁ ମୁକ୍ତ କରିବା ନେଇ ସହମତି ପ୍ରକାଶ କରିଛନ୍ତି । ତେବେ ଭାରତ ଓ ଆମେରିକାର ରାଷ୍ଟ୍ରାଧ୍ୟକ୍ଷଙ୍କ ଏମିତି କଥାବାର୍ତ୍ତା ହେବା ଦୁଇ ଦେଶର ସଂପର୍କରେ ସୁଧାର ଆସୁଥିବାର ସ୍ପଷ୍ଟ ସଙ୍କେତ ଦେଇଛି ।
Also read: "କୋଲଡ୍ରିଫ୍" କଫ୍ ସିରପ୍ ନିର୍ମାତା କମ୍ପାନୀର ଲାଇସେନ୍ସ ରଦ୍ଦ