ନୂଆଦିଲ୍ଲୀ: ମହାକାଶରେ ଭାରତ ପୁଣି ଥରେ ତା'ର ପତାକା ଉତ୍ତୋଳନ କରିବା ପାଇଁ ୪୧ ବର୍ଷର ଅପେକ୍ଷାର ଅନ୍ତ ଘଟିବ ବୋଲି ଆଶା କରାଯାଉଛି। ଆକ୍ସିଅମ୍-୪ ମିଶନ ଅଧୀନରେ, ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ବୁଧବାର ତିନି ଜଣ ଅନ୍ୟ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)କୁ ଉଡ଼ିବେ।
ନାସା ମଙ୍ଗଳବାର ଘୋଷଣା କରିଛି ଯେ ଆକ୍ସିଅମ୍-୪ ମିଶନ ଜୁନ୍ ୨୫ରେ ଉଡ଼ାଣ ହେବ। ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଏବଂ ଭାରତର ସ୍ୱଦେଶୀ ମହାକାଶ ମିଶନ ଗଗନଯାନ ପାଇଁ ମନୋନୀତ ଶୁଭାଂଶୁ ମହାକାଶକୁ ଯିବାରେ ଦ୍ୱିତୀୟ ଭାରତୀୟ ହେବେ।
ରାକେଶ ଶର୍ମା ୧୯୮୪ ମସିହାରେ ସୋଭିଏତ୍ ୟୁନିଅନ୍ର ସୋୟୁଜ୍ ସ୍ପେସ୍କ୍ରାଫ୍ଟରେ ମହାକାଶ ଷ୍ଟେସନ ସାଲ୍ୟୁଟ୍ ୭କୁ ଯାଇଥିଲେ। ରାକେଶ ଶର୍ମା ଭାରତର ପ୍ରଥମ ମହାକାଶଚାରୀ। ନାସାର ବିବୃତ୍ତିରେ କୁହାଯାଇଛି, ନାସା, ଆକ୍ସିଅମ୍ ସ୍ପେସ୍ ଏବଂ ସ୍ପେସ୍ଏକ୍ସ ବୁଧବାର, ଜୁନ୍ ୨୫ ତାରିଖ ଦିନ ଦିନ ୧୨:୦୧ ସମୟରେ ଆକ୍ସିଅମ୍ ମିଶନ୍ ୪ ଲଞ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଶୁଭାଂଶୁଙ୍କ ସହ ଥିବା ମହାକାଶଚାରୀମାନଙ୍କ ମଧ୍ୟରେ ପୋଲାଣ୍ଡର ସ୍ଲାଭୋସ୍ ଉଜନାନସ୍କି-ୱିସନିୱସ୍କି, ହଙ୍ଗେରିର ଟିବୋର୍ କାପୁ ଏବଂ ମିଶନ କମାଣ୍ଡର ଆମେରିକୀୟ ମହାକାଶଚାରୀ ପେଗି ହ୍ୱିଟସନ୍ ଅଛନ୍ତି। ଶୁଭାଂଶୁ ଏହି ମିଶନର ପାଇଲଟ୍ ହେବେ।
ଫ୍ଲୋରିଡାରେ ନାସାର କେନେଡି ସ୍ପେସ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯ଏ ରୁ ମହାକାଶଚାରୀମାନଙ୍କ ସହିତ ସ୍ପେସ୍ଏକ୍ସର ଫାଲକନ୍-୯ ରକେଟ୍ ଉଡ଼ାଣ କରିବ। ପୂର୍ବରୁ ବିଭିନ୍ନ କାରଣ ଯୋଗୁଁ ଆକ୍ସିଅମ୍-୪ ମିଶନକୁ ଛଅ ଥର ସ୍ଥଗିତ ରଖାଯାଇଛି।
ଅଧିକ ପଢ଼ନ୍ତୁ: ରଥଯାତ୍ରାରେ ମୁତୟନ ହେବେ ୧୦ ହଜାରରୁ ଉର୍ଦ୍ଧ୍ୱ ସୁରକ୍ଷାବାହିନୀ