କୋଲକାତା: କୋଲକାତା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (IIM) କ୍ୟାମ୍ପସରେ ଜଣେ ମହିଳାଙ୍କ ସହ ହୋଇଥିବା କଥିତ ଦୁଷ୍କର୍ମ ଘଟଣା ପୁଣି ଥରେ ପଶ୍ଚିମବଙ୍ଗର ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଏହି ଘଟଣାକୁ ନେଇ କାଠଗଡାରେ ମମତା ବାନାର୍ଜୀ ସରକାର। ଏହି ସମୟରେ, ଦୁଷ୍କର୍ମର ଶିକାର ମହିଳାଙ୍କ ପିତା ଏପରି କିଛି କହିଛନ୍ତି, ଯାହା ସମଗ୍ର ମାମଲାରେ ବଡ ଟୁଇଷ୍ଟ ଆସିଛି। ପୀଡିତାଙ୍କ ପିତା ଦୁଷ୍କର୍ମ ଘଟଣାକୁ ଅସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ଝିଅ ଅଟୋରିକ୍ସାରୁ ପଡ଼ିଯାଇଥିଲା।
ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ପୀଡିତାଙ୍କ ବାପା କହିଛନ୍ତି, ତାଙ୍କ ନିକଟକୁ ରାତି ପ୍ରାୟ ୯:୩୪ ସମୟରେ ଏକ ଫୋନ୍ ଆସିଥିଲା, ଯେଉଁଥିରେ ତାଙ୍କୁ କୁହାଯାଇଥିଲା ଯେ ତାଙ୍କ ଝିଅ ଅଟୋରୁ ପଡ଼ି ଅଚେତ ହୋଇଯାଇଥିଲା। ତାଙ୍କୁ SSKM ହସ୍ପିଟାଲର ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଛି ଏବଂ ପୋଲିସ ତାଙ୍କୁ ସେଠାକୁ ନେଇଛି।
ପୀଡ଼ିତାଙ୍କ ବାପା ଏହା ମଧ୍ୟ କହିଛନ୍ତି, 'ଝିଅ ମୋତେ କହିଛି ଯେ ତାଙ୍କ ସହିତ ଯୌନ ନିର୍ଯାତନା ଭଳି କିଛି ହୋଇନାହିଁ। ମୁଁ ମୋ ଝିଅକୁ ନେଇ ଆସିଚି ଏବଂ ସେ ଠିକ୍ ଅଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ସହିତ ଝିଅର କୌଣସି ସମ୍ପର୍କ ନାହିଁ। ଝିଅ କେବଳ ଏକ ଡକ୍ୟୁମେଣ୍ଟ ଦାଖଲ କରିବାକୁ ସେଠାକୁ ଯାଇଥିଲା। ଝିଅ ଶୋଇପଡ଼ିଥିବାରୁ ଏପର୍ଯ୍ୟନ୍ତ ତା ସହ ଅଧିକ କଥା ହୋଇ ନାହିଂ। ସେ ଉଠିବା ପରେ ମୁଁ ତା ସହ କଥା ହେବି। ତାଙ୍କ ଝିଅକୁ ପୋଲିସ ଷ୍ଟେସନରେ ଅଭିଯୋଗ ଭାବେ କିଛି ଲେଖିବାକୁ କୁହାଯାଇଥିଲା ଏବଂ ସେ ତାହା ଲେଖି ଦେଇଥିଲେ।
ଅନ୍ୟପଟେ, ଅଭିଯୁକ୍ତ ଛାତ୍ରଙ୍କ ଓକିଲ କୋଲକାତାର ଏକ କୋର୍ଟକୁ କହିଛନ୍ତି ଯେ ଯୁବତୀଜଣକ ଜଣେ କାଉନସିଲର ଥିଲେ। ଉଭୟ ଅନଲାଇନରେ ପରସ୍ପରକୁ ଯୋଗାଯୋଗ କରିଥିଲେ ଏବଂ ମହିଳା IIM ରେ ଛାତ୍ରଙ୍କ ହଷ୍ଟେଲକୁ ପରାମର୍ଶ ଦେବାକୁ ଯାଇଥିଲେ। ରାଜ୍ୟର ଶାସକ ତୃଣମୂଳ କଂଗ୍ରେସ କହିଛି ଯେ କୌଣସି ଦଳ ଏହି ଘଟଣାକୁ ରାଜନୀତିକରଣ କରିବା ଉଚିତ୍ ନୁହେଁ, କାରଣ ଏହି ସମୟରେ ପ୍ରକୃତରେ କ'ଣ ଘଟିଛି ତାହା କହିବା ବହୁତ ତରବରିଆ ହେବ ଏବଂ ପୋଲିସକୁ ସେମାନଙ୍କର କାମ କରିବାକୁ ଅନୁମତି ଦିଆଯିବା ଉଚିତ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଜି ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ ଯେ, ଅଭିଯୁକ୍ତ ଜଣକ ହଷ୍ଟେଲରେ ପିଜା ଓ ଏକ ପାନୀୟ ଜଳ ଦେଇଥିଲେ । ସେ ପାନୀୟ ଜଳ ପିଇବା ପରେ ତାଙ୍କ ମୁଣ୍ଡ ବୁଲାଇଥିଲା । ସେ ୱାଶରୁମକୁ ଯିବାକୁ ଚାହୁଁଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ଚେଷ୍ଟା କରିଥିଲା । ସେ ଏହାର ବିରୋଧ କରିବାରୁ ଅଭିଯୁକ୍ତ ମାଡ ମାରିବା ପରେ ତାଙ୍କୁ ଦୁଷ୍କର୍ମ କରିଥିଲା ।