ଲର୍ଡ୍ସ: କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଛି । ଇଂଲଣ୍ଡର ପ୍ରଥମ ଇନିଂସ ୩୮୭ ରନ ଜବାବରେ ଭାରତ ମଧ୍ୟ ପ୍ରଥମ ଇନିଂସରେ ୩୮୭ ରନ କରିଛି । ଅର୍ଥାତ ସ୍କୋର ବରାବର ରହିଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିନା ୱିକେଟରେ ୨ ରନ କରିଛି । ଜ୍ୟାକ କ୍ରାଉଲି ୨ ରନ ଓ ବେନ ଡକେଟ୍ ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ପ୍ରଥମ ଇନିଂସରେ କେଏଲ ରାହୁଲ ଶତକ ହାସଲ କରିଥିବା ବେଳେ ଋଷଭ ପନ୍ତ ୭୪ ରନ ଓ ରବୀନ୍ଦ୍ର ଜାଡେଜା ୭୨ ରନର ବେଶ ମହତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । କିନ୍ତୁ ଭାରତ ହାତରେ ମିଳିଥିବା ଅଗ୍ରଣୀ ସୁଯୋଗକୁ ଦଳ ହାତଛଡା କରିଛି ।
ଏହା ପୂର୍ବରୁ ଭାରତ ଦ୍ୱିତୀୟ ଦିନର ଅସମାପ୍ତ ଖେଳ ୧୪୫/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା । କ୍ରିଜରେ ସେଟ୍ ହୋଇ ସାରିଥିବା କେଏଲ ରାହୁଲ ଓ ଋଷଭ ପନ୍ତ ତୃତୀୟ ଦିନର ପ୍ରଥମ ସେସନରେ ଇଂଲଣ୍ଡ ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ । ଉଭୟ ଇଂରେଜ ବୋଲରଙ୍କୁ ପ୍ରହାର କରିଥିଲେ । ଏହି କ୍ରମରେ ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ପ୍ରଥମ ସେସନ ଶେଷ ଆଡକୁ ପନ୍ତ ଆଉଟ୍ ହୋଇଥିଲେ । ସେ ୭୪ ରନ କରି ପାଭିଲିୟନ ଫେରିଥିଲେ । ଏହା ପୂର୍ବରୁ ରାହୁଲ ଓ ପନ୍ତ ଚତୁର୍ଥ ୱିକେଟ ପାଇଁ ୧୪୧ ରନ ଯୋଡି ଦଳର ସ୍ଥିତି ଦୃଢ କରିଥିଲେ । ତେବେ ଏହା ପରେ କେଏଲ ରାହୁଲ ଠିକ୍ ନିଜ ଟେଷ୍ଟ କ୍ୟାରିୟରର ଦଶମ ଶତକ ହାସଲ କରିବା ମାତ୍ରେ ଆଉଟ୍ ହୋଇଥିଲେ ।
ଦୁଇ ବ୍ୟାଟରଙ୍କ ଆଉଟ୍ ପରେ ଚାପରେ ଥିବା ଭାରତର ଇନିଂସ ସମ୍ଭାଳିଥିଲେ ଅନୁଭବ ରବୀନ୍ଦ୍ର ଜାଡେଜା ଓ ନୀତିରଶ ରେଡ୍ଡୀ । ଉଭୟ ସତର୍କତାର ସହ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ଉଭୟ ପଞ୍ଚମ ୱିକେଟ ପାଇଁ ୭୨ ରନ ଯୋଡିଥିଲେ । ଦଳୀୟ ସ୍କୋର ୩୨୬ ରନରେ ରେଡ୍ଡୀ ୩୦ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ପୁଣି ଜାଡେଜା ଓ ୱାଶିଂଟନ ସୁନ୍ଦର ୫୦ ରନ ଯୋଡିଥିଲେ । ଅର୍ଦ୍ଧଶତକ ହାସଲ କରି ଦମଦାର ବ୍ୟାଟିଂ କରୁଥିବା ଜାଡେଜା ୭୨ ରନରେ ଆଉଟ୍ ହୋଇଥିଲେ ।
୩୭୬ ରନ ସ୍କୋରରେ ଜାଡେଜା ଆଉଟ୍ ହେବା ପରେ ଭୁଶୁଡି ପଡିଥିଲା ଭାରତୀୟ ଇନିଂସ । ୬ ୱିକେଟ ହରାଇ ଏକଦା ୩୭୬ ରନ କରିଥିବା ଭାରତ ୩୮୭ ରନରେ ଅଲଆଉଟ୍ ହୋଇଛି । ଅର୍ଥାତ ଦଳ ଶେଷ ୪ ୱିକେଟ ମାତ୍ର ୧୧ ରନରେ ହରାଇଛି । ଶେଷ ଆଡକୁ ୱାଶିଂଟନ ସୁନ୍ଦର ୨୩ ରନ କରି ଆଉଟ୍ ହୋଇଥିଲେ । ବୋଲିଂରେ ଇଂଲଣ୍ଡ ପକ୍ଷରୁ କ୍ରିସ ୱକ୍ସ ସର୍ବାଧିକ ୩ଟି ୱିକେଟ ଅକ୍ତିକାର କରିଛନ୍ତି ।