ନୂଆଦିଲ୍ଲୀ: ୱକଫ ଆଇନକୁ ବିରୋଧ କରି ଦେଶର ଅନେକ ରାଜ୍ୟରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ପଶ୍ଚିମବଙ୍ଗ ଓ ତ୍ରିପୁରା ସମେତ ଅନେକ ରାଜ୍ୟରେ ଏହି ଆଇନ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଛି । ବିରୋଧୀ ଦଳର ଅନେକ ନେତା, ମୁସଲିମ ସଂଗଠନ ଆଇନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହା ମଧ୍ୟରେ ସଂଖ୍ୟାଲଘୁ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, ତାଙ୍କୁ ଭରସା ଯେ, ସୁପ୍ରିମକୋର୍ଟ ବିଧାୟୀ ମାମଲାରେ ହସ୍ତକ୍ଷେପ କରିବେ ନାହିଁ ।
କେନ୍ଦ୍ର ମନ୍ତ୍ରୀ ରିଜିଜୁ କହିଛନ୍ତି, ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ । ଯଦି ଆସନ୍ତାକାଲି ସରକାର ନ୍ୟାୟପାଳିକା କାର୍ଯ୍ୟରେ ହସ୍ତକ୍ଷେପ କରିବେ କଣ ତାହା ଶୋଭା ଦେବ କି । ଆମେ ପରସ୍ପରର ସମ୍ମାନ କରିବା ଉଚିତ୍ । ଶକ୍ତିର ବଣ୍ଟନ କିପରି ହେବ ତାହା ବହୁତ ଭଲ ଭାବେ ପରିଭାଷିତ ହୋଇଛି । ସେ ଏହା ମଧ୍ୟ କହିଛନ୍ତି, ମୁଁ କୌଣସି ଅନ୍ୟ ବିଧେୟକକୁ ଏତେ ଗହନ ଯାଞ୍ଚ ହେବାର ଦେଖିନି । ଏଥିରେ ପାଖାପାଖି ଏକ କୋଟି ଲୋକ ୱକଫ ବିଲ୍ ସଂପର୍କରେ ପ୍ରସ୍ତାବ ଦେଇଥିଲେ ।
ସୁପ୍ରିମକୋର୍ଟ ମଧ୍ୟ ପ୍ରଥମରୁ ସ୍ପଷ୍ଟ କରି ସାରିଛନ୍ତି ଯେ, ସେ ବିଧାୟିକାର ଅଧିକାର କ୍ଷେତ୍ରରେ ହସ୍ତକ୍ଷେପ କରିବେ ନାହିଁ । ହେଲେ ସମ୍ବିଧାନ ସଂପର୍କିତ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଆବେଦନକାରୀଙ୍କ କଥା ଶୁଣିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଆବେଦନକାରୀମାନେ ଦାବି କରିଛନ୍ତି ଯେ, ଏହି ସଂଶୋଧିତ ଆଇନ ସମାନତାର ଅଧିକାର ଓ ଧାର୍ମିକ ସ୍ୱାଧୀନତାର ଅଧିକାର ସହିତ ଅନେକ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ।
କେନ୍ଦ୍ର ମନ୍ତ୍ରୀ ରିଜିଜୁ ପଶ୍ଚିମବଙ୍ଗର ମମତା ସରକାରକୁ ଟାର୍ଗେଟ୍ କରି କହିଛନ୍ତି ଯେ, ମମତା କହୁଛନ୍ତି ସେ ୱକଫ ଆଇନକୁ ପଶ୍ଚିମବଙ୍ଗରେ ଲାଗୁ ହେବାକୁ ଦେବେ ନାହିଁ । ଏମିତିରେ କଣ ତାଙ୍କ ପାଖରେ ମୁଖ୍ୟମନ୍ତ୍ରୀ ପଦରେ ରହିବାର କୌଣସି ନୈତିକ ଅଧିକାର କିମ୍ବା ସାମ୍ବିଧାନିକ ଅଧିକାର ଅଛି କି? କଣ ଏମିତି ବ୍ୟକ୍ତିଙ୍କର କଣ ସମ୍ବିଧାନ ପ୍ରତି ସମ୍ମାନ ଅଛି କି?