ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀ ଉତ୍ସବମୁଖର ହୋଇଛି । ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ସମ୍ମିଳନୀ ପାଇଁ ଦିଲ୍ଲୀରେ ମେଟ୍ରୋ କାର୍ଯ୍ୟ ସମ୍ପର୍କରେ ଦିଲ୍ଲୀ ପୋଲିସ ଏକ ପରାମର୍ଶ ଜାରି କରିଛନ୍ତି । ଦିଲ୍ଲୀ ପୋଲିସର ପରାମର୍ଶ ଅନୁସାରେ, ସେପ୍ଟେମ୍ବର ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ମେଟ୍ରୋ ଷ୍ଟେସନ ସମ୍ପୂର୍ଣ୍ଣ ବନ୍ଦ ରହିବ । ବିମାନ ବନ୍ଦରରୁ ଯାଉଥିବା ଯାତ୍ରୀଙ୍କ ପାଇଁ ସେପ୍ଟେମ୍ବର ୭ ରୁ ୧୧ ପର୍ଯ୍ୟନ୍ତ ମେଟ୍ରୋ ଯୋଗେ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି ।
ପୋଲିସ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ନାମା ଅନୁଯାୟୀ, ସେପ୍ଟେମ୍ବର ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ମୋତିବାଗ, ବିକାଜୀ କାମା ପ୍ଲେସ, ମୁନିରକା, ଆର.କେ ପୁରମ, ସୁପ୍ରିମକୋର୍ଟ, ଆଇଆଇଟି ଦିଲ୍ଲୀ ଏବଂ ସଦର ବଜାର କ୍ୟାଣ୍ଟନମେଣ୍ଟ ମେଟ୍ରୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ଷ୍ଟେସନମାନଙ୍କରେ ଯାତ୍ରୀମାନେ ପ୍ରବେଶ କିମ୍ବା ପ୍ରସ୍ଥାନ କରିପାରିବେ ନାହିଁ । ବିମାନ ବନ୍ଦର ଅଭିମୁଖେ ଯାତ୍ରାକରୁଥିବା ଯାତ୍ରୀମାନେ ସେପ୍ଟେମ୍ବର ୭ ରାତିରୁ ୧୧ ସେପ୍ଟେମ୍ବର ସନ୍ଧ୍ୟା ପର୍ଯ୍ୟନ୍ତ ମେଟ୍ରୋ ବ୍ୟବହାର କରିପାରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।