ନୂଆଦିଲ୍ଲୀ: ହରିୟାଣାରେ ଶନିବାର ଭୋଟିଂ ସରିବା ପରେ ଜମ୍ମୁ-କାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି। ବିଭିନ୍ନ ଏଜେନ୍ସ ଦ୍ଵାରା କରାଯାଇଥିବା ଏକଜିଟ୍ପୋଲରେ କଂଗ୍ରେସ ପାଇଁ ଆସିଛି ଖୁସିର ଖବର। ଏକଜିଟ୍ ପୋଲ୍ ରେ ହରିୟାଣାରେ କଂଗ୍ରେସ ୧୦ ବର୍ଷ ପରେ କ୍ଷମତାକୁ ଫେରୁଥିବା ପୂର୍ବାନୁମାନ କରାଯାଇଥିବା ବେଳେ ଜମ୍ମୁ-କାଶ୍ମୀରରେ ଝୁଲା ସରକାର ଦେଖିବାକୁ ମିଳିଛି।
ବିଭିନ୍ନ ଏକଜିଟ୍ ପୋଲ୍ ଅନୁଯାୟୀ, ହରିୟାଣାରେ କଂଗ୍ରେସକୁ ୫୫ରୁ ଅଧିକ ସିଟ୍ ମିଳିପାରେ। ଧ୍ରୁବ ରିସର୍ଚ୍ଚର ଏକଜିଟ୍ ପୋଲ୍ ଅନୁଯାୟୀ, କଂଗ୍ରେସକୁ ୫୭ ସିଟ୍ ମିଳୁଥିବା ବେଳେ ବିଜେପିକୁ ୨୫ ସିଟ୍ ମିଳିପାରେ। ମାଟ୍ରିଜର ଏକଜିଟ୍ ପୋଲ୍ରେ କଂଗ୍ରେସ ଖାତାକୁ ୫୫ରୁ ୬୨ ସିଟ୍ ଆସିପାରେ। ବିଜେପିକୁ ୧୮ରୁ ୨୪ ସିଟ୍ରେ ସନ୍ତୁଷ୍ଟ ରହିବାକୁ ପଡ଼ିପାରେ। ପିପୁଲ ପଲ୍ସ ମୁତାବକ କଂଗ୍ରେସ ୪୯ରୁ ୬୧ ସିଟ୍ ଜିତି ସରକାର ଗଢୁଥିବା ବେଳେ ବିଜେପି ୨୦ରୁ ୩୨ ସିଟ୍ ରେ ସୀମିତ ରହିପାରେ।
ହରିୟାଣାର ମୋଟ୍ ବିଧାନସଭା ସିଟ୍ ହେଉଛି ୯୦। ସଂଖ୍ୟା ଗରିଷ୍ଠତା ପାଇଁ ଦରକାର ୪୬ ଆସନ। ୨୦୧୪ରୁ ବିଜେପି ଏଠାରେ ୧୦ ବର୍ଷ ଧରି ଶାସନରେ ଥିଲା। କିନ୍ତୁ ଏଥର ଏହି ରାଜ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ୪୦ ସିଟ୍ ଜିତି ବହୁମତଠୁ ୫ ସିଟ୍ ଦୂରରେ ରହି ଯାଇଥିଲା। ତେବେ ଦୁଷ୍ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି ସହ ମିଶି ମେଣ୍ଟ ସରକାର ଗଢିଥିଲା। କଂଗ୍ରେସ ଖାତାକୁ ୩୧ ସିଟ୍ ଆସିଥିଲା ଏବଂ ଦଳ ଦୃଢ ବିରୋଧୀ ଭୂମିକାରେ ରହିଥିଲା। ତେବ ପରବର୍ତ୍ତୀ ସମୟରେ ବିଜେପି ଓ ଜେଜେପି ମେଣ୍ଟ ଭାଙ୍ଗିଥିଲା।
ଏଥର ନିର୍ବାଚନରେ ହରିୟାଣାରେ ପ୍ରାୟ ୬୫ ପ୍ରତିଶତ ମତଦାନ ହୋଇଛି। ଫଳାଫଳ ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇବ। ମୋଟାମୋଟି ଭାବେ ବିଜେପି ପାଇଁ ଏହା ଏକ ଶକ୍ତ ଧକ୍କା ହୋଇପାରେ।ଆଜି ହରିୟାଣାରେ ମତଦାନ ସଂପନ୍ନ ହୋଇଛି।