ଶ୍ରୀନଗର: ଜମ୍ମୁ କଶ୍ମୀରର ଶ୍ରୀନଗର ନିକଟ ନିଶାତ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଗୋଟିଏ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବା ଆଶଙ୍କା କରାଯାଉଛି। ଏମାନଙ୍କ ସଂଖ୍ୟା ୩ ପର୍ଯ୍ୟନ୍ତ ହୋଇପାରେ। ଏହି ଆତଙ୍କବାଦୀଙ୍କୁ ଧରିବା ପାଇଁ ଶନିବାର ରାତିରେ ଅପରେସନ୍ ଆରମ୍ଭ ହୋଇଥିଲା। ଡାଚିଗାମ ଜାତୀୟ ଉଦ୍ୟାନ ଏବଂ ଜଙ୍ଗଲର ଅଞ୍ଚଳ ମଧ୍ୟ ଏହି ଏନକାଉଣ୍ଟର ହେଉଥିବା ସ୍ଥାନଠାରୁ ଅଳ୍ପ ଦୂରରେ ଆରମ୍ଭ ହୋଇଥାଏ।
ଏହା ପୂର୍ବରୁ ସୋପୋରରେ ପୁଣି ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ସମୟରେ ସୈନିକମାନଙ୍କୁ ବଡ଼ ସଫଳତା ମିଳିଥିଲା। ଯବାନମାନେ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବରେ ଯବାନମାନେ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଥିଲେ।
ଗତ ସପ୍ତାହରେ ଜମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଶୀର୍ଷ ପାକିସ୍ତାନୀ କମାଣ୍ଡର ଏବଂ ଅନ୍ୟ ୨ ଜଣ ଆତଙ୍କବାଦୀଙ୍କୁ ୨ଟି ଏନକାଉଣ୍ଟରରେ ନିପାତ କରିଥିଲେ। ଏହି ସମୟରେ ଶ୍ରୀନଗର ଓ ଅନନ୍ତନାଗରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଗତ ସପ୍ତାହରେ ଶ୍ରୀନଗରରେ ଘଟିଥିବା ଏନକାଉଣ୍ଟର ପ୍ରାୟ ଦୁଇ ବର୍ଷ ପରେ ଏହି ଅଂଚଳରେ ହୋଇଥିଲା। ଏହି ଦୁଇଟି ଏନକାଉଣ୍ଟରରେ ସୁରକ୍ଷାବାହିନୀ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।
ଜମ୍ମୁ-କଶ୍ମୀରର ବାରମୁଲା ଜିଲ୍ଲାର ସୋପୋର ଅଞ୍ଚଳରେ ଶୁକ୍ରବାର ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ଶ୍ରୀନଗର ଗ୍ରେନେଡ୍ ଆକ୍ରମଣରେ ଲସ୍କର-ଇ-ତୋଏବାର ୩ ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରାଯାଇଛି।