ମୁୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆୟୋଗ ବିରୋଧୀଙ୍କ ଅଭିଯୋଗ ଆଧାରରେ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ରଶ୍ମି ଶୁକ୍ଳାଙ୍କ ବଦଳି କରିଛନ୍ତି । ଏହା ସହିତ ଆୟୋଗ ମୁଖ୍ୟ ସଚିବ ସୁଜାତା ସୌନିକଙ୍କୁ ଡିଜିପି ପଦରେ ନିଯୁକ୍ତି ପାଇଁ ତିନି ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନିଁ ମାଗିଛନ୍ତି । ଏଥିରୁ କୌଣସି ଜଣେ ଅଧିକାରୀଙ୍କୁ କାର୍ଯ୍ୟକାରୀ ଡିଜିପି ପଦରେ ନିଯୁକ୍ତ ଦିଆଯାଇପାରେ । ରାଜ୍ୟ କଂଗ୍ରେସ ସଭାପତି ନାନା ପଟୋଲେ ଅଭିଯୋଗ କରିଥିଲେ ଯେ, ରଶ୍ମି ଶୁକ୍ଳା ପୁଣି ଥରେ ବିରୋଧୀ ନେତାଙ୍କ ଫୋନ ଟ୍ୟାପ କରିବାକୁ ଆଦେଶ ଦେଇଛନ୍ତି । ଏଥିପାଇଁ ତାଙ୍କୁ ପଦରୁ ହଟାଯିବା ଦରକାର ।
ଅଭିଯୋଗକୁ ଭିତ୍ତି କରି ନିର୍ବାଚନ ଆୟୋଗ ରଶ୍ମି ଶୁକ୍ଳାଙ୍କୁ ଡେପୁଟେସନରେ ସଶସ୍ତ୍ର ସୀମା ବଳରେ ପଠାଇ ଦେଇଛନ୍ତି । ବିଜେପି ଓ ଶିବସେନାର ସରକାର ଶୁକ୍ଳାଙ୍କୁ ଡିଜିିପି ପଦ ଭାବେ କାର୍ଯ୍ୟକାଳ ଦୁଇ ବର୍ଷ ବୃଦ୍ଧି କରିଥିଲେ । ଉଲ୍ଲେଖନୀୟ ଗତ ସପ୍ତାହରେ ନିର୍ବାଚନ ଆୟୋଗ ମହାରାଷ୍ଟ୍ରରେ ରାଜନୈତିକ ଅପରାଧକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ଡିଜିପି ରଶ୍ମି ଶୁକ୍ଳାଙ୍କୁ ଏହା ଉପରେ ରୋକ୍ ଲଗାଇବାକୁ ଇସି ଆଦେଶ ଦେଇଥିଲେ ।
ତେବେ ରଶ୍ମି ଶୁକ୍ଳାଙ୍କ ବିରୋଧରେ ବିରୋଧୀ ଦଳ ନେତାଙ୍କ ଅଭିଯୋଗ ପରେ ନିର୍ବାଚନ ଆୟୋଗ ରଶ୍ମିଙ୍କୁ ଡିଜିପି ପଦରୁ ବଦଳି କରିବାକୁ ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ପୂର୍ବେ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ସମୀକ୍ଷା କରିଥିଲେ । ଏଥିରେ ରାଜନୈତିକ ଅପରାଧକୁ ନେଇ ସେ ଚିନ୍ତା ପ୍ରକାଶ କରିଥିଲେ ।