ନୂଆଦିଲ୍ଲୀ, ଜାନୁଆରୀ ୨୪(ଖବର ଓଡ଼ିଶା): ଆଉ ଗୋଟିଏ ଦିନ ପରେ ସାଧାରଣତନ୍ତ୍ର ଦିବସ । ଏବେଠାରୁ ପାଳନ ପାଇଁ ପୁରା ଦେଶରେ ଚୂଡାନ୍ତ ହୋଇସାରିଲାଣି ସମସ୍ତ ପ୍ରସ୍ତୁତି । ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଦିଲ୍ଲୀ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଭାବରେ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି ।
ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ କରାଯିବା ପାଇଁ ଗାଇଡଲାଇନ୍ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ।
ଏହାସହିତ ଏହି ଉତ୍ସବରେ ସାମିଲ ହେବାକୁ ଥିବା ବ୍ୟକ୍ତି ମାନଙ୍କ ପାଇଁ ଡବଲ ଡୋଜ୍ ଟିକା ବାଧ୍ୟତାମୂଳକ କରାଯାଇଛି । ଏହି ନିୟମ ୧୫ ବର୍ଷ ଓ ତା’ଠାରୁ ଅଧିକ ବୟସ୍କଙ୍କ ପାଇଁ ଲାଗୁ ହେବ ।
ଜାନୁଆରୀ ୨୬ରେ ରାଜପଥରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ଯୋଗାଦେବାକୁ ଥିବା ଲୋକମାନେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟ ବୋଲି ଗାଇଡଲାଇନରେ ସ୍ପଷ୍ଟ ଭାବେ କୁହାଯାଇଛି ।ଦିଲ୍ଲୀ ପୁଲିସ୍ କହିଛି ଯେ କରୋନା ଭାଇରସ ଭ୍ୟାକସିନର ଉଭୟ ଡୋଜ୍ ନେବା ଜରୁରୀ ।
ଗଣତନ୍ତ୍ର ଦିବସକୁ ଆସୁଥିବା ଅତିଥିମାନେ ଦୟା କରି ନିଜ ସହ ଆସିବା ବେଳେ ଟିକାକରଣ ପ୍ରମାଣପତ୍ର ଆଣିବେ । ୧୫ ବର୍ଷରୁ କମ ବୟସ୍କ ପିଲାମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନୁମତି ମିଳିବ ନାହିଁ ।
ଗଣତନ୍ତ୍ର ଦିବସରେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବ ସେଥିପାଇଁ ବିଭିନ୍ନ ସ୍ଥାନରେ ୨୭ ହଜାର ୭୩୨ ଜଣ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବ । ଏମାନଙ୍କ ମଧ୍ୟରେ ୭୧ ଡିସିପି, ୨୧୩ ଏସିପି ଓ ୭୫୩ ଇନସପେକ୍ଟର ରାଙ୍କର ଅଧିକାରୀ ଅଛନ୍ତି ।