ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ସତର୍କ ଅବଲମ୍ବନ କରିଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳରେ ଭାରତୀୟ ସେନା ଓ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଏକ ବୈଠକ ଡକାଇଛନ୍ତି। ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ଡିଜିଏମଓ ଏବଂ ସୁରକ୍ଷା ଏଜେନ୍ସିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଉପାୟ ଖୋଜିବା ଏହି ବୈଠକର ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଏହି ବୈଠକରେ ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦୀଙ୍କୁ ମୁକାବିଲା କରିବା ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଉଛି। ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଏଭଳି ସ୍ଥିତିରେ ସୁରକ୍ଷା ବ୍ୟବସ୍ଥାକୁ ସ୍ୱାଭାବିକ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ । ଆଜି ନିର୍ବାଚନ କମିଶନଙ୍କ ଟିମ୍ ଗୃହ ସଚିବଙ୍କୁ ଭେଟିବାକୁ ଯାଉଛନ୍ତି, ଯେଉଁଠାରେ ଟିମ୍ କୁ ସେଠାକାର ସ୍ଥିତି ସମ୍ପର୍କରେ ଅବଗତ କରାଯିବ।
ଜମ୍ମୁ-କଶ୍ମୀରରେ ଆଜିକାଲି ଆତଙ୍କବାଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେନା ବାହିନୀକୁ ମଧ୍ୟ ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି। ଗତ ମାସରେ ଡୋଡା, ରାଜୌରୀ ଭଳି ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଗତ ଜୁଲାଇ ମାସରେ କଠୁଆ ଜିଲ୍ଲାରେ ସେନାର ଏକ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୫ ଜଣ ଯବାନ ସହିଦ ହୋଇଥିଲେ। ସେହିଭଳି ବାକି କାଶ୍ମୀରରେ ମଧ୍ୟ ଆତଙ୍କବାଦୀ ସକ୍ରିୟ ହୋଇଛନ୍ତି। ଏଭଳି ସ୍ଥିତିରେ ସରକାର ଏବେ ଏହାର ମୁକାବିଲା କରିବାକୁ ଯୋଜନା କରୁଛନ୍ତି।