ବେଙ୍ଗାଲୁରୁ: ସବୁ ସୀମା ଟପିଗଲେ ଆଇପିଏସ୍ ଅଧିକାରୀ। ନିଜ କାର୍ଯ୍ୟାଳୟରେ ମହିଳାଙ୍କୁ କଲେ ଚୁମ୍ବନ ଏବଂ ଆଲିଙ୍ଗନ। କର୍ଣ୍ଣାଟକରେ ଏମିତି ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ଜଣେ ଡିଜିପିସ୍ତରୀୟ ଅଧିକାରୀଙ୍କ ମହିଳାଙ୍କ ସହ ଅନ୍ତରଙ୍ଗ ହେବାର ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣା କର୍ଣ୍ଣାଟକରେ ଚହଳ ପକାଇଛି। ନିଜ କାର୍ଯ୍ୟାଳୟରେ ମହିଳାଙ୍କ ସହିତ ରୋମାନ୍ସ କରୁଥିବା ଆଇପିଏସ ଅଧିକାରୀ ଡ. ରାମଚନ୍ଦ୍ର ରାଓଙ୍କ ବିରୋଧରେ ଅଭିଯୋଗ ଆସିଛି। କିନ୍ତୁ ରାଓ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହା ମିଥ୍ୟା ଭିଡିଓ। ଏହାକୁ ଏଡିଟ୍ କରାଯାଇ ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା ଆଇପିଏସ୍ ରାମଚନ୍ଦ୍ର ରାଓ କହିଛନ୍ତି।
ସେ କହିଛନ୍ତି, ଲୋକେ ଜାଲ୍ ଭିଡିଓ ଜରିଆରେ ତାଙ୍କୁ ଟାର୍ଗେଟ୍ କରୁଛନ୍ତି। ଭାଇରାଲ୍ ହେଉଥିବା ଭିଡିଓରେ ସେ ନିଜ କାର୍ଯ୍ୟାଳୟର ଚୌକିରେ ବସି ଜଣେ ମହିଳାଙ୍କୁ ଚୁମ୍ବନ ଦେଉଥିବା ଏବଂ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। କୁହାଯାଉଛି, ଏହି ଭିଡିଓକୁ ବହୁତ ଗୁପ୍ତ ଭାବେ ରେକର୍ଡ କରାଯାଇଛି। ସେଠାରେ ଯେଉଁ ମହିଳାଙ୍କୁ ଆଇପିଏସ ଚୁମ୍ବନ ଦେଉଥିଲେ, ସେ ସର୍ବଦା କୌଣସି ନା କୌଣସି କାମରେ ଡିଜିପି କାର୍ଯ୍ୟାଳୟ ନିୟମିତ ଆସୁଥିଲେ।
ରାଓଙ୍କ ଉପରେ କୌଣସି ମହିଳାଙ୍କ ପକ୍ଷରୁ ବଳପୂର୍ବକ କିମ୍ବା ଦୁର୍ବ୍ୟବହାରର ଅଭିଯୋଗ ନାହିଁ। କିନ୍ତୁ ଡ୍ୟୁଟି ସମୟରେ ଅଫିସରେ ଏମିତି କାର୍ଯ୍ୟ କରିବା ନେଇ ତାଙ୍କୁ ସମାଲୋଚନା କରାଯାଉଛି। ମାମଲା ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ମୁଖ୍ୟମନ୍ତ୍ରୀ ସମ୍ବନ୍ଧିତ ବିଭାଗକୁ ଭିଡିଓର ପୂରା ତଥ୍ୟ ମାଗିଛନ୍ତି। ସୂଚନା ମୁତାବକ ଭିଡିଓ ଦେଖିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, କେଉଁଭଳି ଭାବେ ପୋଲିସ କାର୍ଯ୍ୟାଳୟରେ ଏହି ଧରଣର କାମ କରାଯାଇ ପାରୁଛି।
ଅନ୍ୟପଟେ ରାଓ ଏହି ଭିଡିଓକୁ ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି ଏହି ଭିଡିଓ ବହୁତ ଆଶ୍ଚର୍ଯ୍ୟ ଲାଗୁଛି। ମୁଁ ଏହି ଘଟଣାରେ ନିଜ ଓକିଲଙ୍କ ସହ ଯୋଗାଯୋଗ କରିଛି। ଏହା କେବଳ ମୋତେ ବଦନାମ କରିବା ପାଇଁ ଏକ ଷଡ଼ଯନ୍ତ୍ର। ବିନା ତଦନ୍ତରେ ଏହାର ସତ ସାମ୍ନାକୁ ଆସିବ ନାହିଁ। ତେଣୁ ଘଟଣାର ତଦନ୍ତ କରାଯିବା ଅତି ଜରୁରୀ। ରାଓ ଏହି ଘଟଣାକୁ ନେଇ ଗୃହ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଉଲ୍ଲେଖନୀୟ ରାଓଙ୍କ ରାନ୍ୟା ରାଓ ଉପରେ ସୁନା ତସ୍କରିର ଅଭିଯୋଗ ରହିଛି।
Also read: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସନରେ ବସିବେ ନୀତିନ ନବୀନ, ଦାଖଲ କଲେ ପ୍ରାର୍ଥୀ ପତ୍ର