ପୁରୀ: ଶ୍ରୀମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ବିବାଦରେ ଫସିଥିବା ସୋସିଆଲ ମିଡ଼ିଆ ଇନଫ୍ଲୁଏନସର ଶୁଭଙ୍କର ମିଶ୍ରା କ୍ଷମା ମାଗିଛନ୍ତି। ବିବାଦ ଓ ବିରୋଧ ତେଜିବା ପରେ ମଙ୍ଗଳବାର ଶୁଭଙ୍କର ନିଜର ୟୁଟ୍ୟୁବ ଚ୍ୟାନେଲକୁ ଆସି କ୍ଷମା ମାଗିଛନ୍ତି। ଏଥିସହ ନିଜର ୟୁଟ୍ୟୁବ ଚ୍ୟାନେଲରୁ ଉକ୍ତ ବିବାଦୀୟ ଭିଡିଓ ବି ହଟାଇଛନ୍ତି।
ସେ କହିଛନ୍ତି, ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନ ଥିଲା କି ଜାଣିଶୁଣି ଏମିତି କରି ନ ଥିଲି। ଓଡ଼ିଆ ଶ୍ରଦ୍ଧାଳୁଙ୍କ ମନକୁ ଆଘାତ ଲାଗିଥିଲେ ମୁଁ କ୍ଷମା ପ୍ରାର୍ଥନା କରୁଛି। ପ୍ରଭୁ ଜଗନ୍ନାଥ ମୋ ଆରାଧ୍ୟ ଦେବତା। ମୁଁ ପୁରୀ ଧାମକୁ ମୋ ଘର ଭାବେ। ଓଡ଼ିଆ ଲୋକେ ମୋତେ ଅନେକ ସ୍ନେହ, ସମ୍ମାନ ଦେଇଛନ୍ତି। ମୁଁ ମୋ ପୁରୁଣା ଭିଡିଓ ହଟାଇ ଦେଇଛି ଏବଂ ହୃଦୟରୁ କ୍ଷମା ମାଗୁଛି। ଉଲ୍ଲେଖନୀୟ ଶୁଭଙ୍କର ମିଶ୍ରାଙ୍କ ନାଁରେ ସିଂହଦ୍ୱାରା ଥାନାରେ ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ଏହି ଏତଲା ଦେଇଥିଲେ।
ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସାମାଜିକ ଗଣମାଧ୍ୟମରେ ଜଗନ୍ନାଥପ୍ରେମୀ ଓ ଗବେଷକ ଶୁଭଙ୍କର ମିଶ୍ରଙ୍କ ଖୁବ୍ ସମାଲୋଚନା କରିବା ସହ ଟ୍ରୋଲ କରିଥିଲେ। ଏହା ପରେ ମଙ୍ଗଳବାର ସନ୍ଧ୍ୟାରେ ଶୁଭଙ୍କର ମିଶ୍ରା ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଜଗନ୍ନାଥ ମନ୍ଦିରକୁ ନେଇ ଏକ ସ୍ଵତନ୍ତ୍ର ଭିଡିଓ ତିଆରି କରି ନିଜର ଭୁଲ ସ୍ଵୀକାର କରିବା ସହ କ୍ଷମା ମାଗିଛନ୍ତି।
ଶୁଭଙ୍କର ମିଶ୍ରା କହିଥିଲେ ଯେ, ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନ କରିବେ ତେବେ ସେମାନଙ୍କ ପ୍ରେମ କେବେ ବି ସଫଳ ହେବନାହିଁ। ଏଥିସହ ବିବାହ ବନ୍ଧନରେ ସେମାନେ କେବେ ବି ବାନ୍ଧି ହୋଇପାରିବେ ନାହିଁ। ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡିଛି। ମା ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେତେବେଳେ ସେବାୟତ ମାନେ ତାଙ୍କୁ ଅଟକାଇଥିଲେ।
ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି। ଆପଣ କିଭଳି ଭିତରକୁ ଆସିଲେ। ଏକଥା ଶୁଣି ମା ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ। ଶୁଭଙ୍କର ମିଶ୍ରାଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ଜଗନ୍ନାଥ ପ୍ରେମୀ ଓ ଗବେଷକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
Also read: ଗାଡିଚାଳକ ସାବଧାନ; ଚାରି ଚକିଆରେ କଳା କାଚ ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ; ଦଣ୍ଡିତ କରିବାକୁ ଟ୍ରାଫିକ୍ ବିଭାଗକୁ ସରକାରଙ୍କ ନିର୍ଦ୍ଦେଶ