ଭୁବନେଶ୍ବର: ବଢ଼ୁଥିବା ଟ୍ରାଫିକ ସମସ୍ୟା, ଏହାର ସହାୟତାରେ ହେଉଥିବା ଅପରାଧ ରୋକିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। କିଛି ଚାରିଚକିଆ ଗାଡ଼ିରେ କଳାକାଚ ଲଗାଇ ଅପରାଧ ହେଉଥିବା ଅଭିଯୋଗ ଆସିବା ପରେ ଆକ୍ସନମୋଡ଼କୁ ଆସିଛନ୍ତି ରାଜ୍ୟ ସରକାର। ଏନେଇ ସରକାର କଳାକାଚ ଲାଗିଥିବା ସମସ୍ତ ଚାରିଚକିଆ ଗାଡ଼ିକୁ ଅଟକାଇ ଦଣ୍ଡିତ କରିବାକୁ ଟ୍ରାଫିକ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଟ୍ରାଫିକ ତରଫରୁ କାର୍ଯ୍ୟାନୁଷ୍ଠାନ ଜୋରଦାର ହେଉଛି।
ଆଗରୁ ମଧ୍ୟ ଚାରି ଚକିଆରେ କଳା କାଚ ଲଗାଇଲେ କାର୍ଯ୍ୟାନୁଷ୍ଠାନ ହୋଇଥିବାବେଳେ, ଆଗକୁ ମଧ୍ୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କହିଛନ୍ତି। ବିଧାନସଭାରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଉତ୍ତର ରଖିଛନ୍ତି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ୨୦୨୪ ମସିହା ଜାନୁଆରୀ ୪ ତାରିଖ ଠାରୁ ୨୦୨୫ ମସିହା ଅକ୍ଟୋବର ୩୧ ତାରିଖ ମଧ୍ୟରେ ୨୧୪ଟି କଳା ରଙ୍ଗର ଫିଲ୍ମ ଲଗାଇଥିବା ମାଲିକଙ୍କ ବିରୁଦ୍ଧରେ ଇ-ଚାଲାଣ କଟିଛି। ସେଥିରୁ କେବଳ ଭୁବନେଶ୍ୱରରେ ୧୬୨ଟି ଗାଡ଼ି ଅନ୍ତର୍ଭୁକ୍ତ ରହିଛି। ୨୦ଟି ଗାଡ଼ି ମାଲିକଙ୍କୁ ଠାରୁ ୫ ଶହ ଟଙ୍କା ହିସାବରେ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି। ଅବଶିଷ୍ଟ ୧୯୪ଟି ଗାଡ଼ି ମାଲିକଙ୍କ ବିରୁଦ୍ଧରେ ପ୍ରୋସିକ୍ୟୁସନ ରିପୋର୍ଟ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ବିଚାର ପାଇଁ ଅଛି ।
ଅଧିକ ପଢନ୍ତୁ: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନଭେମ୍ବର ସୁଦ୍ଧା ମଞ୍ଜୁର ହୋଇଛି ୧ ଲକ୍ଷ ୫୮ ହଜାରରୁ ଅଧିକ ଘର; ଗଞ୍ଜାମ ଓ ମୟୁରଭଞ୍ଜ ଜିଲ୍ଲାକୁ ମିଳିଛି ସର୍ବାଧିକ