ନୂଆଦିଲ୍ଲୀ: ବ୍ରିଟେନ୍ରେ ୧୪ ବର୍ଷ ପରେ ଲେବର ପାର୍ଟିର ସରକାର ଆସିଛି। ଏଥର ଭାରତୀୟ ବଂଶୋଦ୍ଭବକୁ ବ୍ରିଟେନ୍ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୨୯ ଜଣ ଭାରତୀୟ ମୂଳ ନିବାସୀ ବ୍ରିଟେନ୍ରେ ସାଂସଦ ହୋଇପାରିଛନ୍ତି। ଲେବର ପାର୍ଟିର ୧୯ ଜଣ ଭାତୀୟ ସାଂସଦ ଚୟନୀତ ହୋଇ ହାଉସ୍ ଅଫ୍ କମନ (ବ୍ରିଟିଶ ସଂଦସ)କୁ ଯିବେ। କଂଜରଭେଟିଭ ପାର୍ଟିରୁ ୭ ଜଣ ଭାରତୀୟ ମୂଳ ନିବାସୀ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଛନ୍ତି।
ଏହି ଭାରତୀୟ ମୂଳ ସାଂସଦମାନଙ୍କ ମଧ୍ୟରୁ ଗୁଜରାଟ ମୂଳ ନିବାସୀ ଶିବାନୀ ରାଜା ଲିସେଷ୍ଟର (ପୂର୍ବ) ଆସନରୁ ବିଜୟ ହାସଲ କରିଛନ୍ତି। ସେ ସଂସଦରେ ଶପଥ ଗ୍ରହଣ ବେଳେ ହାତରେ ଭଗବତ ଗୀତା ଧରିଥିଲେ। ସେ ପବିତ୍ର ଗୀତାକୁ ହାତରେ ଧରି ସାଂସଦ ଭାବେ ଶପଥ ନେଇଥିଲେ। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।
ଶପଥ ଗ୍ରହଣ ସମାରୋହ ପରେ ଶିବାନୀ ରାଜା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ଲିସେଷ୍ଟର (ପୂର୍ବ)ର ପ୍ରତିନିଧିତ୍ବ କରିବା ପାଇଁ ଆଜି ସଂସଦରେ ଶପଥ ନେବା ସମ୍ମାନର ବିଷୟ। ମୋତେ ଗୀତା ଉପରେ ହାତ ରଖି ମହାମହିମ ରାଜା ଚାର୍ଲ୍ସଙ୍କ ଠାରୁ ନିଜର ନିଷ୍ଠାର ଶପଥ ନେବାରେ ବହୁତ ଆନନ୍ଦ ମିଳିଛି।
ବ୍ରିଟେନ୍ରେ ଭାରତୀୟ ସମୁଦାୟଙ୍କ ମଧ୍ୟରେ ଶିବାନୀ ରାଜା ବହୁତ ଲୋକପ୍ରିୟ। କଂଜରଭେଟିଭ ପ୍ରାର୍ଥୀ ହିସାବରେ ତାଙ୍କୁ ୧୪,୫୨୬ ଖଣ୍ଡ ଭୋଟ ମିଳିଥିଲା। ସେ ଲେବର ପାର୍ଟି ପ୍ରାର୍ଥୀ ରାଜେଶ ଅଗ୍ରୱାଲଙ୍କୁ ୪୪୨୬ ଖଣ୍ଡ ଭୋଟରେ ହରାଇଥିଲେ। ଶିବାନୀ ରାଜାଙ୍କ ଜନ୍ମ ଲିଜେଷ୍ଟରରେ ହୋଇଥିଲା। ସେ ପ୍ରାଇମେରି, ସୋଅର ଭ୍ୟାଲି କଲେଜ, ବ୍ରିଗେଷ୍ଟର ଓ କ୍ବୀନ ଏଲିଜାବେଥ-୨ କଲେଜରେ ପାଠ ପଢ଼ିଛନ୍ତି।