ଜଳଗାଓଁ: ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ବୁଧବାର ଘଟିଥିବା ଟ୍ରେନ୍ ଦୁର୍ଘଟଣା ନେଇ ରାଜ୍ୟ ସରକାର ମୃତକମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବୀସ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି। ଆହତମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆତମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାର ପରଧାଣ୍ଡେ ଓ ମାହିଜୀ ରେଳ ଷ୍ଟେସନ ମଧ୍ୟରେ ବୁଧବାର ଦିନ ପୁଷ୍ପକ ଏକ୍ସପ୍ରେସ୍ରେ ନିଆଁ ଲାଗିବା ନେଇ ଯାତ୍ରୀଙ୍କ ମଧ୍ୟରେ ଗୁଜବ ସୃଷ୍ଟି ହୋଇଥିଲା। ଏହି ବିଶୃଙ୍ଖଳା ଭିତରେ କିଛି ଯାତ୍ରୀ ଟ୍ରେନ୍ର ଜରୁରିକାଳୀନ ଚେନ୍ ଟାଣି ଦେଇଥିଲେ। ଚଳନ୍ତା ଟ୍ରେନ୍ରୁ ଅନେକ ଯାତ୍ରୀ ଡେଇଁ ପଡ଼ିଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କିଛି ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଅନେକ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ କର୍ମଚାରୀଙ୍କ ସହ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଭୁସାୱାଲର ଡିଭିଜନାଲ ରେଲୱେ ମ୍ୟାନେଜର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଅନ୍ୟପଟରେ ଏହି ଅଭାବନୀୟ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି। କିଛି ଯାତ୍ରୀଙ୍କର ଚିକିତ୍ସା ଜାରି ରହିଛି।