ଭୁବନେଶ୍ୱର : ଚାଲିଛି ମାଘ ମାସ। ଏହି ମାସରେ ହାଡଭଙ୍ଗା ଶୀତ ହୁଏ ହେଲେ ପାଣିପାଗ କିନ୍ତୁ ଓଲଟା । ଶୀତ ପରିବର୍ତ୍ତେ ରାଜ୍ୟବାସୀଙ୍କୁ ଜାନୁଆରୀରୁ ଡରାଇଲାଣି ଖରା । ସକାଳୁ ଟାଏଁ ଟାଏଁ ଖରା ଆରମ୍ଭ ହୋଇଯାଉଛି। ଦିନ ଦ୍ୱିପ୍ରହରରେ ପ୍ରବଳ ଖରା ଅନୁଭୂତ ହେଉଛି। ଗତ ଦୁଇ ତିନି ଦିନ ହେବ ରାଜ୍ୟରେ ଖରା ଅନୁଭୂତ ହେଉଥିବା ବେଳେ ଗତକାଲି ବୁଧବାର ରାଜ୍ଯର ଅନେକ ସହରରେ ତାପମାତ୍ରା ୩୫ ଡିଗ୍ରୀ ନିକଟତର ହୋଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଗତକାଲି ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ସୁନ୍ଦରଗଡ଼ରେ ୩୩.୫, କୋରାପୁଟ ୩୩.୨, ଝାରସୁଗୁଡ଼ା ଓ ବରଗଡ଼ରେ ତାପମାତ୍ରା ୩୩ ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି। ରାଜ୍ୟର ୨୯ ଟି ସହରରେ ତାପମାତ୍ରା ୩୦ ଡିଗ୍ରୀ କିମ୍ବା ଏହାଠାରୁ ତାପମାତ୍ରା ଅଧିକ ରହିଛି। ଭୁବନେଶ୍ୱରରେ ତାପମାତ୍ରା ୩୧.୯ ଡିଗ୍ରୀ ରେକର୍ଡ ହୋଇଛି।
ତେବେ ଜାନୁଆରୀରେ କୋରାପୁଟରେ ଅତ୍ଯଧିକ ଶୀତ ଅନୁଭୂତ ହେଉଥିବା ବେଳେ ଚଳିତବର୍ଷ କିନ୍ତୁ ଜାନୁଆରୀ ମାସରେ ତାତି ସହ କୋରାପୁଟରେ ତାତି ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ପୂର୍ବରୁ ୨୦୦୯ ମସିହାରେ ଜାନୁଆରୀ ୩୦ରେ କୋରାପୁଟରେ ତାମପାତ୍ରା ୩୨.୬ ଡିଗ୍ରୀ କରାଯାଇଥିଲା ହେଲେ ଆଜି ୩୩.୨ ଡିଗ୍ରୀ ତାପମାତ୍ରା ଏହି ରେକର୍ଡକୁ ଭାଙ୍ଗିଛି।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ଉପରେ ଏବେ ଗୋଟିଏ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏହାଦ୍ୱାରା କିଛି ଦିନ ହେବ ରାଜ୍ୟକୁ ପ୍ରବାହିତ ହେଉଥିବା ଶୁଷ୍କ ଓ ଥଣ୍ଡା ବାୟୁ ଆସୁ ନ ଥିବାରୁ ଆକାଶ ନିର୍ମଳ ରହିବା ସହ ପୃଥିବୀ ଉପରେ ସିଧାସଳଖ ସୂର୍ଯ୍ୟକିରଣ ପଡୁଛି । ଯାହାଦ୍ବାରା ଖରାଟିଆ ପାଗ ସହ ତାପମାତ୍ରା ଅଧିକ ରହୁଛି। ଏହିଭଳି ସ୍ଥିତି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସମ୍ଭାବନା ରହିଛି। ସେହିପରି ଭୋର୍ ସମୟରେ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ହେବାର ଆଶଙ୍କା କରାଯାଉଛି।