ମାଲକାନଗିରି: ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀଯୁଗଳ। ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଶବ ଉଦ୍ଧାର କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କାଲିମେଳା ଥାନାର ଏମପିଭି-୨୦ ପାହାଡ଼ ନିକଟରେ ଥିବା ଜଙ୍ଗଲରେ ଘଟିଛି ।
ସୂଚନା ଅନୁସାରେ, ରବିବାର ଠାରୁ କାଲିମେଳା ଥାନା ଅଂଚଳର ତୁମକିମାଡ଼କା ଗ୍ରାମର ଜଣେ ଯୁବକ ଏବଂ ଯୁବତୀ ନିଖୋଜ ଥିଲେ। ପରିବାର ଲୋକ ଉଭୟଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ଉଭୟ ପ୍ରେମ କରୁଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ପରିବାର ଲୋକେ ଏହାକୁ ଗ୍ରହଣ କରୁନାହାନ୍ତି ।
ବୁଧବାର କିଛି ଲୋକ ଜଙ୍ଗଲକୁ ଯାଉଥିବା ସମୟରେ ପ୍ରବଳ ଦୁର୍ଗନ୍ଧ ହେବାରୁ ଜଙ୍ଗଲ ମଧ୍ୟରେ ଛାନଭିନ ଆରମ୍ଭ କରିଥିଲେ। ପରେ ସେମାନେ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ଏହି ଘଟଣା ଗାଁରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଉଭୟ ପରିବାରରେ ଶୋକର ଛାୟା ଖେଳିଯାଇଛି ।