ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ବିସିସିଆଇ ଭାରତୀୟ କ୍ରିକେଟରଙ୍କ ପାଇଁ ଘରୋଇ କ୍ରିକେଟ୍ ଖେଳିବା ବାଧ୍ୟତାମୂଳକ କରି ଦେଇଛି । ବିସିସିଆଇର ନିର୍ଦ୍ଦେଶ ପରେ ରୋହିତ ଶର୍ମା, ଯଶସ୍ୱୀ ଜୟସ୍ୱାଲ ଓ ଶୁଭମନ ଗିଲ୍ଙ୍କ ପରି ଖେଳାଳି ଜାନୁଆରୀ ୨୩ରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିର ଦ୍ୱିତୀୟ ରାଉଣ୍ଡରେ ଅଂଶଗ୍ରହଣ କରିଛନ୍ତି । ଲାଗୁଥିଲା ଘରୋଇ ମ୍ୟାଚରେ ଦଳର ଏହି ଷ୍ଟାର ଖେଳାଳି ଭଲ ପ୍ରଦର୍ଶନ କରି ଫର୍ମକୁ ଫେରିବେ । ମାତ୍ର ଏଥିରେ ବି ସିନିୟର ଦଳର ଏହି ଖେଳାଳିଙ୍କ ପ୍ରଦର୍ଶନ ନିରାଶଜନକ ରହିଛି । ରୋହିତ ଶର୍ମା ୨୦୧୫ ପରେ ପ୍ରଥମ ଥର ରଣଜୀ ଟ୍ରଫି ଖେଳିଛନ୍ତି ।
ହେଲେ ଜମ୍ମୁ-କାଶ୍ମୀର ବିପକ୍ଷ ମ୍ୟାଚରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ରୋହିତ ଶର୍ମା ଓ ଜୟସ୍ୱାଲ ଇନିଂସ ଓପନ କରିଥିଲେ । ଜୟସ୍ୱାଲ ୮ ବଲରୁ ୪ ରନ କରି ଆଉଟ୍ ହୋଇଥିବା ବେଳେ ରୋହିତ ଶର୍ମା ୧୯ ବଲରୁ ୩ ରନ କରି ପାଭିଲିୟନ ଫେରିଛନ୍ତି ।
ଅନ୍ୟପଟେ ପଞ୍ଜାବ ଦଳର ନେତୃତ୍ୱ ନେଉଥିବା ଶୁଭମନ ଗିଲ୍ ଆଜି କର୍ଣ୍ଣାଟକ ବିପକ୍ଷ ମ୍ୟାଚରେ ୮ ବଲରୁ ମାତ୍ର ୪ ରନ କରି ଆଉଟ୍ ହୋଇଛନ୍ତି । ସେହିପରି ଋଷଭ ପନ୍ତଙ୍କ ବ୍ୟାଟ୍ ମଧ୍ୟ ରଣଜୀ ମ୍ୟାଚରେ ଶାନ୍ତ ରହିଛି । ସୌରାଷ୍ଟ୍ର ବିପକ୍ଷ ମୁକାବିଲାରେ ସେ ୧୦ ବଲରୁ ମାତ୍ର ଏକ ରନ କରି ପାରିଥିଲେ । ଏହିପରି ଭାବେ ଜାତୀୟ ଦଳର ଏହି ଖେଳାଳିଙ୍କ ପ୍ରଦର୍ଶନ କୋଚ୍ ଗୌତମ ଗମ୍ଭୀରଙ୍କ ଚିନ୍ତାକୁ ବଢାଇ ଦେଇଛି ।
ଉଲ୍ଲେଖନୀୟ ବିରାଟ କୋହଲି ଓ କେଏଲ ରାହୁଲ ସଂପ୍ରତି ଘରୋଇ କ୍ରିକେଟରୁ ଦୂରରେ ଅଛନ୍ତି । କୋହଲିଙ୍କ କାନ୍ଧରେ ଯନ୍ତ୍ରଣା ହେଉଥିବା ବେଳେ କେଏଲ ରାହୁଲଙ୍କ କହୁଣୀରେ ସମସ୍ୟା ରହିଛି । ତେବେ ଜାନୁଆରୀ ୩୦ରୁ ଆରମ୍ଭ ହେଉଥିବା ପରବର୍ତ୍ତୀ ମ୍ୟାଚରେ ଦୁଇ ଖେଳାଳି ନିଜ ନିଜ ଦଳ ପକ୍ଷରୁ ପ୍ରତିିନିଧିତ୍ୱ କରିବେ ।
ଭାରତ ଫେବୃଆରୀ ୬ରୁ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବ । ତେଣୂ ଏହି ସବୁ ଖେଳାଳିଙ୍କୁ ଜାନୁଆରୀ ୩୦ରୁ ଆରମ୍ଭ ହେଉଥିବା ରଣଜୀ ଟ୍ରଫିର ଦ୍ୱିତୀୟ ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ନିଜର ପ୍ରଦର୍ଶନରେ ସୁଧାର କରିବାରେ ଶେଷ ସୁଯୋଗ ରହିଛି । ପୁଣି ଫେବୃଆରୀ ୧୯ରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେଉଛି ।